(ରଘୁନାଥ— ରାଗ ଆନନ୍ଦଭୈରବୀ, ତାଳ ଏକତାଳି)
ଏତେବେଳକୁ ହେ ମୁଖ ଦିଶିଲା କି ଆଜ
ପଥବଣା ହୋଇଲ କି ବ୍ରଜ ଯୁବରାଜ । ଘୋଷା ।
ପରିହରି ଚିର ପ୍ରୀତି ଆନ ରମଣୀରେ ମାତି
ମୋ ପାଶକୁ ଆସିବାକୁ ପାଇଲ କି ଲାଜ । ୧ ।
ଯା ତୁଲେ ମାତିଲ ନିଶା ସେ ବା କେମନ୍ତ ସୁରସା
ବୁଝିବାକୁ ଲୋଡ଼ୁଥିଲେ ମୋ ସଖୀ ସମାଜ । ୨ ।
ତୁମ୍ଭ ଆସିବା ସମୟ ଜାଣି ହୋଇ ତୋଷମୟ
ଜଗି ବସିଥିଲି କୁଞ୍ଜେ ସାଜି ଫୁଲଶେଯ । ୩ ।
ମିଳିବାରୁ ଓଷ୍ଠ ସୁଧା ଯିବାରୁ ଅନଙ୍ଗ ବାଧା
ତେବେକୁ ଏବେ ଶ୍ରୀଅଙ୍ଗ ଦିଶେ ଭିନ୍ନ ତେଜ । ୪ ।
ଶୁଣି ରାଧା ଭଙ୍ଗୀ ଗିର ମଥା ପୋତିଲେ କିଶୋର
ଭାବି କହେ ରଘୁନାଥ କବି ଦ୍ୱିଜରାଜ । ୫ ।