(ପୀତାମ୍ବର ଦେବ— ରାଗ କାମୋଦୀ, ତାଳ ଏକତାଳି)
ନାଚନ୍ତି କୃଷ୍ଣ କି ମଧୁରେ । ରାସ ମଧ୍ୟରେ ।
ଶ୍ରୀମତୀ ସନ୍ନିଧିରେ । ଘୋଷା ।
ତପନସୁତା କୂଳେ କେଳିକଦମ୍ବ ମୂଳେ
କିଶୋରୀ ଗୋପୀ ମେଳେ କାମ କୁତୂହଳେ ।
ମାତି ଅତି ଲୋଳେ ମନ୍ଦ ମରୁତ ବହେ
ସୁନ୍ଦର ଶଶଧର ଉଦେ ନଭୋମଣ୍ଡଳେ
କୁସୁମ ବରଷନ୍ତି ଦେବେ ହରଷ ଭୋଳେ । ୧ ।
ନବୀନ ଘନ ଜିଣି ଦିଶେ ଶ୍ରୀଅଙ୍ଗ ଠାଣି ।
କେକିପୁଚ୍ଛ ଶ୍ରେଣୀ ଚୂଳେ ନିରିମାଣି ।
ନାସାରେ ଶୋହେ କରୀବର ମୋତି ବସଣୀ
ଚରମେ ଚାରୁବେଣୀ
ପାଦେ ନୂପୁର ବାଜେ କିଙ୍କିଣୀ କିଣିକିଣି । ୨ ।
ନବରତ୍ନ କୁଣ୍ଡଳ ଲୁଳେ ଗଣ୍ଡମଣ୍ଡଳ
ହୃଦରେ ବନମାଳ ଅମଳ କମଳ ।
ନୟନ ଚଞ୍ଚଳ ନଟବର ଶେଖର
କଟୀ ତଟରେ ସୁଘଟିତ ପୀତ ଦୁକୂଳ
ମଣ୍ଡଳାକାର ହୋଇ ସ୍ଥିତ ଗୋପୀ ଗୋପାଳ । ୩ ।
କେ ସହଚରୀ ପରିବାଦିନୀ କରେ ଧରି
ରାଗ ଆଳାପ କରି କରେ କର ମାରି ।
କେହୁ ମନୋହାରୀ ମର୍ଦ୍ଦଳ କେ ବଜାଇ
ନର୍ତ୍ତନେ କେ ବିହରି କେହୁ ସ୍ୱର ଉଚ୍ଚାରି
କୁଞ୍ଜବନ ବିହାରୀ ଅତି ଆନନ୍ଦେ ହେରି । ୪ ।
ଗଙ୍ଗବଂଶ ପୟୋଧି ସମ୍ପୂର୍ଣ୍ଣ ସୁଧାନିଧି
ଅଶେଷ ଗୁଣ ସିଦ୍ଧି ମହାରାଜ ସୁଧୀ ।
ପ୍ରୀତି ଅବିରୋଧୀ ବୀରାଧି ବୀରବର
ଶ୍ରୀ ପୀତାମ୍ବର ଦେବ କହିଲେ ରାସ ବିଧି
ଶୁଣ ସୁଜନେ ଜନେ ଏ ରସେ ଦେଇ ବୁଦ୍ଧି । ୫ ।