(ପରମାନନ୍ଦ— ରାଗ ବିଚିତ୍ର କାମୋଦୀ, ତାଳ ଆଡ଼ତାଳି)
ପ୍ରୀତି ଲାଗି
ହେବୁ ପରା ବାଳା ବଇରାଗୀ ରେ । ଘୋଷା ।
ଫୁଲରି ଫୁଲ ତ ବିଷ । ଉଲୁରିଅଛି ଅନିଶ ।
କଙ୍କତିକାର ସ୍ପରଶ । ରଙ୍କ ତ ହେଲାଣି କେଶ ।
ହେବୁ ପରା ଜଟା ଅନୁରାଗୀ ରେ । ୧ ।
ବ୍ରହ୍ମଯୋଗ ଧ୍ୟାନ କରି । ଉନ୍ମୀଳନେ ନେତ୍ର ଗୋରୀ ।
ଏକା ଏ ମଉନ ଧରି । ରହିବୁ ନବକିଶୋରୀ ।
ବସିଲୁଣି ଦିବା ନିଶି ଜାଗି ରେ । ୨ ।
ମୁଞ୍ଚିଲୁଣି ତ ଅଶନ । ଆବର ବେଶ ଭୂଷଣ ।
ପ୍ରିୟଜନ ପରସନ୍ନ । ମନ୍ତର ପୁରଶ୍ଚରଣ ।
ପଣ୍ଡିତା ବିଭୂତି ହୋଇ ଲାଗି ରେ । ୩ ।
ଅପାଙ୍ଗ ସୂଚୀରେ ସିଇ । କାହା ମନବାସକୁ ହିଁ ।
ମୁଣିଏ ଅଛୁ ଭିଆଇ । ପରମାନନ୍ଦ କହଇ ।
ଯିବୁ ପରା ପ୍ରୀତିଭିକ୍ଷା ମାଗି ରେ । ୪ ।