(ଦୀନବନ୍ଧୁରାଜ— ରାଗ ବିହାଗ, ତାଳ ଯତି)
ପ୍ରାଣଧନ ପ୍ରାଣ ରଖ ଧରୁଛି ତୋ ପାଣିକି ରେ
ଶୁଣାଉ ନାହୁଁ କାହିଁକି ବୀଣାଜିଣା ବାଣୀକି ରେ । ଘୋଷା ।
ଏଣୀନୟନା ଏଣିକି ନ ଚାହୁଁ କି ଜାଣିକି ରେ
ରଣରଣ ବାଣଗଣ ବିନ୍ଧୁଅଛି ଟାଣିକି ରେ । ୧ ।
ତାରଣକୁ ଶରଣ ମୁଁ ତୋ ଚରଣ ଆଣିକି ରେ
ଜଣାଉଛି ଜଣାଯିବା ପାଇଁ ରାମାମଣିକି ରେ । ୨ ।
କବିଗଣପଣ ଯିବ ତୋ ଶୋଭା ନ ଭଣିକି ରେ
ଗଣକ ଗଣେ ନୋହିବ ଗୁଣରାଶି ଗଣିକି ରେ । ୩ ।
ନୃପମଣି ଶ୍ରେଣୀ ମଧ୍ୟେ ଏ ମୁକୁଟ ମଣି କି ରେ
ଦୀନବନ୍ଧୁ ବନ୍ଧୁ ମଣି କୋଳ କଲେ ଆଣିକି ରେ । ୪ ।