(ଦ୍ୱିଜ ପୀତାମ୍ବର— ରାଗ ତୋଡ଼ିକଲ୍ୟାଣ, ତାଳ ଯତି)
ଏହା କି ମୋ ଭାଲେ ଲିହିଥିଲା ଦାରୁଣ ବିହି
ହେବାକୁ କାମେ ଦହି ଗୋ । ଘୋଷା ।
ନିମିଷେ ହେଁ ଅନ୍ତର ନୋହି ପାଶେ ଚାକର
ପରି ସେବିଥିବାର ରେ
କୁଳିଶୁଁ ବଳି ଚିତ୍ତ ମୋ ଠାରେ ପ୍ରାଣନାଥ
କରିବାର ଉଚିତ ହେଲା କିରେ ସଙ୍ଗାତ । ୧ ।
ନିତି ନିଶିବ ଅସରେ ଶୟନେ ଆବାସରେ
ଥିବା ପରି ପାଶରେ ଗୋ
ଉରେ ଜମାଇବାକୁ କୋଳକୁ ଆଣିବାକୁ
ଚାଟ କଲା ବେଳକୁ ଆଉ ନ ଦେଖେଁ ତାକୁ । ୨ ।
ଏ ବିରହ ବେଦନା ସହିବାକୁ ନବୀନା
ଅଛି କେ ମୋହ ବିନା ରେ
ସନ୍ତାପ ଅକୂପାର ନୀରେ ନିମଜ୍ଜିବାର
ଜନ ହେବାକୁ ପାର ଥିଲେ କହ ବିଚାର । ୩ ।
ମୋହନ ଅନାଥରେ କୃପା ହୃଦପଥରେ
ନୋହିଲା କିମ୍ପା ଥରେ ଗୋ
ଏ ରସେ ଦ୍ୱିଜ ପୀତାମ୍ବର ଭାଷେ ଲଳିତା
ଏକାଳେ ଏତେ ଚିନ୍ତା ବିହିଲା ଗୋ ବିଧାତା । ୪ ।