(ରାମଚନ୍ଦ୍ର ଦେବ— ରାଗ କଲ୍ୟାଣ, ତାଳ ଯତି)
ଜୀବଧନ
ବିନା ଦୋଷେ କରିଅଛୁ ମାନ ରେ । ଘୋଷା ।
କାହିଁକି କରୁଣା ଉଣା । ମୁଁ ତୋହର ଅଟେ କିଣା ।
ଜନ ଧ୍ୟେ ଗଲା ଶୁଣା । ଟଙ୍କଧର ରିପୁ ଜିଣା ।
ମାର ଶରେ ହଜିଗଲା ଜ୍ଞାନ ରେ । ୧ ।
ଦିଅ ତୁ ଅଧରୁ ପାନ । ଯାଉ ମୋ ଦୁର୍ଦ୍ଦଶାମାନ ।
ସତ୍ୟ କହୁଅଛି ଘେନ । ତୋର ମଧୁର ବଚନ ।
ନ ଶୁଣିଲେ ଗଲାଟି ଜୀବନ ରେ । ୨ ।
ଆଜନମ ସୁକୁମାରୀ । କହୁଛି ଚିବୁକ ଧରି ।
ଏବେ ହେଲେ ଦୟା କରି । ପାଶେ ରଖ ଛାଇ ପରି ।
ଏହି ଦଶା ଦେଲାଟି ମଦନ ରେ । ୩ ।
ବିମ୍ବାଧରୀ ମଦାଳସୀ । ବସ ମୋ ଅଙ୍କରେ ଆସି ।
ଚୁମ୍ବ ଦିଅ ମନ୍ଦେ ହସି । ମୋ ଗଣ୍ଡରେ ଘନକେଶୀ ।
ଦେଇ ରଖ ମୋତେ ରତିଦାନ ରେ । ୪ ।
ରାମଚନ୍ଦ୍ର ଦେବ ଭଣି । ଶୁଣି ସେ ରମଣୀମଣି ।
ମାନସରେ ନେଲେ କିଣି । ମାନ ଶର ଦେଇ ହାଣି ।
କି ଭଙ୍ଗୀରେ ଢାଳି ଚନ୍ଦ୍ରାନନ ରେ । ୫ ।