(ରାମଚନ୍ଦ୍ର ଦେବ— ରାଗ ବସନ୍ତ, ତାଳ ଏକତାଳି)
ବସନ୍ତ କାଳେ ମିତ
ଲୋଡ଼ୁଥିବେ ମୋ ଉଦନ୍ତ । ଘୋଷା ।
ବନପ୍ରିୟ ପ୍ରେମଭରେ ମାତି ବସି ପଲ୍ଲବ ଡାଳରେ
ପଞ୍ଚସ୍ୱରେ ଗାଉଥିବେ ଗୀତ
ସେ ଧ୍ୱନି ଶୁଣି ରମଣୀ ଆସନ କରେ ଧରଣୀ
କାମଶରେ ହୋଇ ବିହ୍ୱଳିତ । ୧ ।
ଲାଗି ଦକ୍ଷିଣା ପବନ ବିକାଶେ କୁସୁମମାନ
ଅଳିବୃନ୍ଦ ହୋଇ ଉପଗତ
କରୁଥିବେ ମଧୁପାନ ତା ଦେଖି ଜୀବଜୀବନ
କପାଳରେ ମାରୁଥିବ ହାତ । ୨ ।
ଭାବନାରେ ରାମାବର ଗଣ୍ଡେ ଦେଇ ବେନି କର
ଚାହୁଁଥିବେ ମୋ ଆସିବା ପଥ
କେ ଜାଣି କିସ ହେବନି ନବ ବାଳା ପୀନସ୍ତନୀ
ନିଶ୍ଚେ ହେବ ଧନୀ ପ୍ରାଣେ ହତ । ୩ ।
ରାମଚନ୍ଦ୍ର ଗୀତେ ଭାଷି ଭରସା ବୁଡ଼ିଲା ଆସି
ଅସ୍ଥିର ହେବନି ଧନୀ ଚିତ୍ତ
ହରାଇ ଆପଣା ବୁଦ୍ଧି ଅରଜିଲି ଚିନ୍ତାବ୍ୟାଧି
ବିଚ୍ଛେଦରୁ ରଖ ଉମାକାନ୍ତ । ୪ ।