Aau Ki Ghanakesiki Ghana Kale Paibi

ଆଉ କି ଘନକେଶୀକି ଘନ କାଳେ ପାଇବି
(Gopinatha— Raga Khanda Kamodi, Tala Ekatali)
(ଗୋପୀନାଥ— ରାଗ ଖଣ୍ଡକାମୋଦୀ, ତାଳ ଏକତାଳି)

ଆଉ କି ଘନକେଶୀକି ଘନ କାଳେ ପାଇବି । ଘୋଷା ।

ଘଡ଼ଘଡ଼ି ରଡ଼ି ଶୁଣି ଚମକି ରମଣୀମଣି
ଶିବ ଶିବ ବୋଲି ଗୁଣି କେତେ ଦୁଃଖ ସହିବି । ୧ ।

ହୋଇଲା ଦୁର୍ଦ୍ଦିନ ଦିନ ବହଇ ଝଞ୍ଜା ପବନ
ଘନ ଘନ ଗରଜନ କେମନ୍ତେ ମୁଁ ଜୀଇବି । ୨ ।

ଚଞ୍ଚଳା ଯାମୁକି ପରି ଘନାଳୀ ନଳୀରେ ମାରି
କୁଳିଶ ଚାଳିକି ଭରି କାମ ବୋଲେ ମାରିବି । ୩ ।

ଭେକ ଶାମୁକଙ୍କ ଧ୍ୱନି ଶୁଣି ସେ ରମଣୀମଣି
ଆଳୀ ଅଙ୍କେ ଢଳିବନି ବିଷ ଖାଇ ମରିବି । ୪ ।

ଜୀବ ଲବ ଥିବ କଣ୍ଠେ ଭେଟିବି ସତେ ନିକଟେ
ଗୋପୀନାଥ ବୋଲେ ପଟ୍ଟେ ଚିତ୍ର କରି ଲିହିବି । ୫ ।