(ଯଦୁମଣି— ରାଗ ଆରଭୀ, ତାଳ ଖେମଟା)
ସରିଲି ସରିଲି ହରି ପୀରତି ଆଶାରେ । ଘୋଷା ।
ମଲ୍ଲୀଝରା ଦେଲି ମଲି ନ ମେଲି ଭାଷା ରେ
ଖୋଷିଲେ ତା ନେଇ ଚନ୍ଦ୍ରାବଳୀର ଖୋଷାରେ । ୧ ।
ଡାକି ଗଲା ଶୁକ ଡାକି ପ୍ରାଣ ପିପାସାରେ
ତା ମନ୍ଦିର ଦାନ୍ଦୀ ବନ୍ଦି ବିହିଲେ ହସା ରେ । ୨ ।
ସାରି ତା ତନୁ ଉଜ୍ଜ୍ୱଳ କଜ୍ଜ୍ୱଳ ଘଷା ରେ
ଧରାରୁ ଛାଡ଼ିଲେ ଖରା ପ୍ରସାରୁ ରସାରେ । ୩ ।
ଇଙ୍ଗିତ କଲେ ମୋ ମାଳୀ ବାଳୀକି କାସାରେ
କେହୁ ଶୁକ କାକ ହୁଏ ରାଧିକା ପୋଷା ରେ । ୪ ।
ଭାସିଲି ବୋଲି ଲେଖିଲି ବିନୟ ଭାଷାରେ
ଭାଷେ ଯଦୁମଣି ଦେଲେ ବିପକ୍ଷ ଯୋଷାରେ । ୫ ।