(ଦ୍ୱିଜ ନାରାୟଣ— ରାଗ ସାବେରୀ, ତାଳ ଯତି)
ପ୍ରାଣବନ୍ଧୁ ରେ
କୋକନଦ ଅମ୍ବୁଜ ଅଧରୁ ଦିଅ ମଧୁ । ଘୋଷା ।
କମ୍ବୁକଣ୍ଠୀ ଜମ୍ବୁନଦ ଗୋରୀ
ଶମ୍ଭୁଜିତ ଊରଜ ଚତୁରୀ
ମୋର କେଉଁ ଦୋଷ ଦେଖିକରି
ହେଳେ ଭସାଇଦେଲୁ ଯା ମଦନ ସିନ୍ଧୁରେ । ୧ ।
କକ୍ଷ ମୂଳେ ଚାଳିଦେଲେ ନଖ
ତୁ ଯେ ବୋଲୁ ବନ୍ଧୁ ରଖ ରଖ
ତେଣୁ ସ୍ନେହେ ପୂରିଥାଉ ମୁଖ
ବାହୁ ମୃଣାଳକୁ ଆଣି ମୋ ଗଳାରେ ଛନ୍ଦୁ । ୨ ।
ରତେ ମାତିଥାଉ ଯେତେବେଳେ
ମୋର କାମ ପୂର୍ଣ୍ଣ ତେତେବେଳେ
ଭାବେ ନେତ୍ର ଖୋଷିଦେଇ ଭାଲେ
ଦୃଢ଼େ ଜାନୁରେ ଜାନୁକୁ କି ଭାବେ ଛନ୍ଦୁରେ । ୩ ।
କଳାହାଣ୍ଡି ମଣ୍ଡନ ନରେଶ
ଦ୍ୱିଜ ନାରାୟଣ ଏହୁ ଭାଷ
ଶୁଣି ସନ୍ତୋଷ ନାଗରୀ ଈଶ
ସୀଉକାର କଲା ତାର ଲପନ ଇନ୍ଦୁ ରେ । ୪ ।