(ଲକ୍ଷ୍ମୀନାରାୟଣ ଦେବ— ରାଗ କୀରବାଣୀ, ତାଳ ଯତି)
ପୂର୍ଣ୍ଣଚନ୍ଦ୍ର ମୁଖୀ ବାଳା ରେ
ଆହା ପ୍ରୀତିଲତା ମୋର । ଘୋଷା ।
ତଳେ ବସିଥିବ ସଖୀ । ଗଣ୍ଡେ କର ଥିବ ରଖି ।
ଅନିମିଷେ ପୋଛୁଥିବ ଅଶ୍ରୁକଳା ରେ । ୧ ।
ମୋ ପଥକୁ ଚାହୁଁଥିବ । କାହାକୁ କିସ କହୁଥିବ ।
ଭାରି ହୋଇ ଯାଉଥିବ ପୁଷ୍ପମାଳା ରେ । ୨ ।
ଜମ୍ବୁନଦ ଜିତ ଗୋରୀ । ମୃଦୁ ନବନୀତ ପରି ।
ହୋଇଥିବ ଶ୍ୱେତଚମ୍ପା କି ଅବଳା ରେ । ୩ ।
ଅତି ସୁକୁମାରୀ ଶ୍ୟାମା । ଶ୍ରୀ ରାଧିକା ସୁମଧ୍ୟମା ।
ନିରବଧି ନୀର ଯାଉଥିବ ବହି ରେ । ୪ ।
ଶ୍ରୀ ଲକ୍ଷ୍ମୀ ନାରାୟଣ । ଭୀମଦେବ ମହାରାଣ ।
ଅତି ଗୁପ୍ତେ ହେବ ରାଧାକୃଷ୍ଣ ଲୀଳା ରେ । ୫ ।