(ଦ୍ୱିଜ ପଦ୍ମନାଭ— ରାଗ ଆରଭୀ, ତାଳ ଏକତାଳି)
ଭିନ୍ନେ ଆଜ ତୋ ରୀତିରେ ପଙ୍କଜ ନୟନା
ମାନେ ବଳିଛି ମତି ରେ
ମାର ମାରଣକୁ ବାରଣ ମୋର ତୁହି
ଦାରୁଣ ବହୁ ଏ କି ବାରଣଜିତଗତି । ଘୋଷା ।
କାହିଁ ଶିଖିଲୁ ଏ ମାନ କିଶୋରୀମଣି
କହରେ ସଖୀ ମୋ ଆନ
ତୋ ବିନୁ କେ ମୋ ଆନ ନାହିଁ ମାନସେ ଘେନ
ଏ କି ଦିନକୁ ଦିନ ଦେଖି ତୋର ଗୁମାନ ।
(ପଡ଼ି)
ଶାଣ ଦେଇ ସ୍ମରରାଣ ଧରି ଫୁଲ
ବାଣ ଗଣରେ ମୋ ପ୍ରାଣ ନେବ ବୋଲି
ଟାଣ କରି ମାରେ ଜାଣ ସୁଚିତ୍ତରେ
ପ୍ରାଣଧନ ପରିତ୍ରାଣ କର ତୁ ବାରେ । ୧ ।
ଧରି କହୁଛି ତୋ କର ସୁଜାଣୁବର
ନିରତେ ନ ହସା ପର
ନେତ୍ରୁ ଯା ତେଜୁ ନୀରଧାର ଊରଜ ପର
ସାର କରିଛୁ କିରେ ସାର ବିରସ ଛାର ।
(ପଡ଼ି)
ଆସ ବନ୍ଧୁ ମାନ ନାଶ ତୋର ନିଜ
ଦାସ କରିରେ ସୁରସ ରଙ୍ଗିନୀ
ଭାଷ ନ କରି ନିରାଶ ବହିଅଛୁ
କାଶ ଶଶୀଜିତ ହାସିନୀ ଏ କି ତୋର । ୨ ।
ଗଣ୍ଡ ଦେଶରେ ମଣ୍ଡନା ପଲ୍ଲବ ପାଣି
ରାମା ପ୍ରୀତିକି ଖଣ୍ଡନା
ମହୀ ଚାହିଁ ବସନା ଚାରୁ ନୀଳବସନା
କିଞ୍ଚିତେ ଥରେ ଅନା ଅନାଦରେ ରସନା
(ପଡ଼ି)
ରଙ୍ଗ ଅଧର ବିରଙ୍ଗ ପରିହରି
ରଙ୍ଗେ ବିହରି ମୋ ସଙ୍ଗେ ଆରେ ଗୋରୀ
ତୁଙ୍ଗସ୍ତନା ତୁ ମୋ ଅଙ୍ଗ ଭର କରି
ସଙ୍ଗିନୀ ରେ ମୋର ସଙ୍ଗକୁ ତେଜନା । ୩ ।
ମୁଖ ଶଶୀକି ପ୍ରକାଶ କୁନ୍ଦରଦନା
ମୋ ଦୁଃଖ ତମକୁ ନାଶ
ସରଜ ପ୍ରୀତି ବିଶେଷ ଅରଜନା ଅପଯଶ
ବରଜମଣ୍ଡନା ଆଶ ତରଜ ନା କୋଳେ ବସ
(ପଡ଼ି)
ଶ୍ୟାମ ବିନୟରେ ହେମ ସୁବରନୀ
ବାମ ତେଜି ଅତି ପ୍ରେମରେ ମଜ୍ଜିଲେ
ତାମରସ ପଦ ଧ୍ୟାନେ ଦ୍ୱିଜ ପଦ୍ମନାଭ
ହରଷରେ ଗାନ କରି ଏ ରସ । ୪ ।