(ଆଦିତ୍ୟ ନୃପତି— ରାଗ ଭୈରବୀ, ତାଳ ଆଦିତାଳ)
ଯାଉଛି ରାମାରତନ ନ ଘେନିବୁ ମନେ ଆନ
ପିଣ୍ଡକୁ ସିନାରେ ଧନ ନେଉଛି ରଖି ଜୀବନ । ଘୋଷା ।
ପ୍ରାଣ ବିନୁ ମୋ ଭରସା । ତୋ ବିନା କେ ଅଛି ରସା ।
ନେତ୍ରୁଁ ନୀର ନ ବରଷା ଆସିବି ନୋହୁଁ ବରଷା । ୧ ।
ଅତନୁ ସନ୍ତାପ ସହା । ନୁହଁରେ ମୃଣାଳବାହା ।
ଥିଲା ମୋ କରମେ ଏହା କି କଲା ଦଇବ ଆହା । ୨ ।
ମୋ ଛାର ପାଇଁକି ଦୁଃଖୀ । ହେଉରେ ଆଜନ୍ମସୁଖୀ ।
ମୁଁ ସିନା ତୋ ପ୍ରୀତି ରଖିପାରିଲି ନାହିଁ ସୁମୁଖୀ । ୩ ।
ସଙ୍ଗୀତପ୍ରବୀଣା ସହୀ । ସଙ୍ଗୀ ତ ନ ଥିଲା ହୋଇ ।
ଭାଙ୍ଗି ତ ଦେଉଛି ବିହି ଆଦିତ୍ୟ ନୃପତି କହି । ୪ ।