(ଯଦୁମଣି— ରାଗ କେଦାର କାମୋଦୀ, ତାଳ ତ୍ରିପଟା)
ମୁଗ୍ଧେ ଉନ୍ମାଦ ରଙ୍ଗରେ
ସାଜ ସାଜ ସୁବେଶ ତନୁକୁ
ଆଜ ବିରାଜ ମୋ ପୁରେ ଧନ ତୁ । ଘୋଷା ।
କେ ଜାଣେ ଗୋ ଏହା ବୋଲିବାରେ ତୁ ଗେହ୍ଲାଇ
ତେତିକିବେଳେ ନିତମ୍ବ ଦେବୁ ଦୋହଲାଇ ।
(ପଡ଼ି)
କଟିରେ କିଙ୍କିଣୀ ବାଜିବ କିଣିକିଣି
ନାସେ ନାସାମଣି ନର୍ତ୍ତନ କରି ପୁଣି
ବଦନ ନିଶାମଣି ଦୋହଲିବାରେ ଅଣିମାଦି
ସୁଖକୁ କିଣି ଆଣିବ ଇଷିତେ । ୧ ।
ପ୍ରକମ୍ପ ଉରୁସନ୍ଧିକି ନ ଚାହିଁବୁ ତାଳେ
ଚାହିଁ ମଦନେ ମାତିବୁ ଆନ ଦେଲା ବେଳେ ।
(ପଡ଼ି)
ଚଞ୍ଚଳ କୁଣ୍ଡଳ ଦୋହଲି ହାର ପରେ
ଚାରୁ ଚିକୁର ଫିଟି ଖେଳିବ ଚରମରେ
କୁସୁମବୃନ୍ଦ ବୃଷ୍ଟି ହୋଇବ ଶଯ୍ୟା ପରେ
ମଲି ମଲି ହୋଇ ରହିବୁ ଘୂର୍ଣ୍ଣିତେ । ୨ ।
ଚାହିଁଲେ ରମ୍ଭା ଜଘନ ଶୋଭାକୁ ସେକାଳେ
ମୋ ଉରେ ଊରଜ ଦେଇ ଭିଡ଼ିବୁ ଚପଳେ ।
(ପଡ଼ି)
ମାରିବୁ କରଜକୁ ଚନ୍ଦ୍ରସଦନେ ଚଳି
ଚନ୍ଦ୍ର ଚହଟି ଯିବ ସର୍ବାଙ୍ଗରେ ଖେଳି
ଜାତ ମହାପ୍ରଳୟ ରସ ତରଙ୍ଗେ ମିଳି
ବାରି ନ ପାରି ତୁହି ମରିବୁ ଅବଶ୍ୟ । ୩ ।
ଉଲୁସାଇବାରେ ତନୁ ଗଣ୍ଡେ ଦେଇ ମୁଖ
ଚୁମ୍ବିବା ବେଳେ ପୂରିବ କହ କେଉଁ ସୁଖ ।
(ପଡ଼ି)
ନାହିଁ ନାହିଁ ଘୋଷି ଭାଷିବୁ ଇସି ଇସି
ଭାଲେ ନେତ୍ରକୁ ଖୋଷି କରଜ ଘାତେ କଷି
ଗଣ୍ଡେ ଗଣ୍ଡକୁ ଘଷି ଚୁମ୍ବନ ଦାନେ ରସି
ଅଧର ପାନ ବେଳେ ଚାଳିବୁ ରସନା । ୪ ।
ବିନ୍ଦୁ ବିନ୍ଦୁ ଶ୍ରମଝାଳ ପଡ଼ିବ ମୁଖରେ
ଫୁଳି ଉଠୁଥିବ ନାସା ସମୀର ପ୍ରଖରେ ।
(ପଡ଼ି)
କି ଇଙ୍ଗିତେ ଭାଷଣେ ରଙ୍ଗନୟନ କୋଣେ
ଚାହିଁଲା ପରି ହୋଇ ନ ଚାହିଁବୁ ତୁ କ୍ଷଣେ
ପାରଦ ପରି ରସ ଝଲକି ହେବ ଏଣେ
ବାରି ନ ବାରି ତୁହି ହାରିବୁ ଚେତନା । ୫ ।
ଭସାଇ ଭାସିବୁ ଯେବେ ସୁଖ ପାରାବାରେ
ସୁନାଶୀର ହୋଇବି ମୁଁ ରସିକ ସଂସାରେ ।
(ପଡ଼ି)
ଘୋର ମାରଶର ମାରଣ କରେ ଉର
ଦାରୁଣ ହେଉ ତୁ କି କାରଣେ ରାମାବର
ଶରଣାଗତକୁ ତୁ ଉଦ୍ଧାରଣ କର
ବିନାୟକ ସିଂହ ଭୂପତି ବଦତି । ୬ ।