Dekha Nanda Nandana Go

ଦେଖ ନନ୍ଦନନ୍ଦନ ଗୋ
(Brundabana— Raga Kedara Kamodi, Tala Tripata)
(ବୃନ୍ଦାବନ— ରାଗ କେଦାର କାମୋଦୀ, ତାଳ ତ୍ରିପଟା)

ଦେଖ ନନ୍ଦନନ୍ଦନ ଗୋ
ମନ୍ଦ ମନ୍ଦ ଗୋବିନ୍ଦ କରେ ରହି
ଲୋକବୃନ୍ଦ ଆନନ୍ଦଘନ ଗୋ । ଘୋଷା ।

କଞ୍ଜନୟନଙ୍କୁ ମଧୁପୁରେ ଅନାଇଁ
ପଞ୍ଜରେ ସଖୀକି ରାମା ଦିଅନ୍ତି ଦେଖାଇ
(ପଡ଼ି)
କୁଞ୍ଜବନର ସହି କୁଞ୍ଜର ପରା ଏହି
ଅଞ୍ଜନ ନବଘନ ପୁଞ୍ଜ ରୁଚିର ଦେହୀ
ଅଞ୍ଜନ ଦଳି ରୂପ ମଞ୍ଜୁଳ ଗୋପୀଦୃଶ
ଖଞ୍ଜନ ଯୁଗଳର ପଞ୍ଜରୀ ଏହି ଗୋ । ୧ ।

ପୂର୍ବେ ଏ ବାଳକ କାଳେ ମାଇଲେ ପୂତନା
ପାର୍ବତୀଙ୍କି ସେବିଣ ପାଇଲେ ବ୍ରଜାଙ୍ଗନା
(ପଡ଼ି)
ପର୍ବତ କରେ ଧରି ଇନ୍ଦ୍ର ଗର୍ବକୁ ଚୂରି
ସର୍ବ ଗୋପୀକୁଳକୁ ଦୁର୍ବଳୁ କଲେ ପାରି
ପର୍ବ କଳଙ୍କହୀନ ଶର୍ବରୀପତି ଗର୍ବ
ଖର୍ବ କରଇ ମୁଖ କର୍ବୂରଅରି ଗୋ । ୨ ।

ଥଣ୍ଟି ଚିରି ବକାସୁର ପ୍ରାଣ ନେଲେ ହେଳେ
ଷଣ୍ଢା ଦଇତକୁ ଦଣ୍ଡ ଦେଲେ କୁତୂହଳେ
(ପଡ଼ି)
ଚଣ୍ଡ କିରଣଜିତ ଖଣ୍ଡଶଶୀ ବିଦିତ
ଗଣ୍ଡ ମନକୁ ହରେ କୁଣ୍ଡଳୀବର ଶିରେ
ତାଣ୍ଡବ ଚତୁର ଏ ମୁଣ୍ଡରେ କେକୀପୁଚ୍ଛ
ମୁଣ୍ଡରେ କେକୀପୁଚ୍ଛ ମଣ୍ଡନ ଧରେ ଗୋ । ୩ ।

କାଞ୍ଚନ ଚଟୁଳ ପଟ କଟିରେ ମଞ୍ଜୁଳ
ଘଞ୍ଚ ଅଳକାକୁ ଶୋଭା ଶ୍ରୀମୁଖ ମଣ୍ଡଳ
(ପଡ଼ି)
ପଞ୍ଚବିଶିଖଜିତ ସଞ୍ଚତନୁକୁ ମିତ
ସଞ୍ଚ ସୁକୃତ ଫୁଳ ପାଞ୍ଚଇ ମୋର ଚିତ୍ତ
ଚଞ୍ଚରୀକ ରୁଚିର ନୟନ ଅଞ୍ଚଳରେ
ଅନବରତ ସିଞ୍ଚେ ଅମୃତ ନୀର ଗୋ । ୪ ।

ବୃନ୍ଦାବନରେ ଏହାଙ୍କୁ ଘେନି ବ୍ରଜବାଳୀ
ନିନ୍ଦାକୁ ନ ମାନି ନାନାରଙ୍ଗେ କଲେ କେଳି
(ପଡ଼ି)
ବୃନ୍ଦାବନ କହଇ ବୃନ୍ଦାରକ ଈଶ୍ୱର
ବୃନ୍ଦା ଅର୍କ ହୁଅଇ ମନ୍ଦାର ସୁଅଧର
କୁନ୍ଦରୁ ସୁଉଦିତ ବୃନ୍ଦାବନ କୁଶଳ
ବନ୍ଧା ସଂସାର ଫିଟା ଫାନ୍ଦଟି ଏହି ଗୋ । ୫ ।