(ବୃନ୍ଦାବନ— ରାଗ ନଟକେଦାର, ତାଳ ଯତି)
ଏ ତ ବଡ଼ ପରମାଦରେ (ସହି)
କିଣାଜନ ପରି ଏକା ନାମ ଧରି
ଡାକଇ ମୁରଲୀ ନାଦରେ । ଘୋଷା ।
ଯାଉଥିଲି ବାଟେ ଦେଖିଲି ନିକଟେ
ନ ଚାହିଁଲି ତାଙ୍କୁ ଆଡ଼ରେ
କେ କି ହୋଇ ସଖି ଡୋଳେ ତାଙ୍କୁ ଦେଖି
ପଡ଼ିଲି କାମ ଅଗାଧରେ । ୧ ।
ଗୁରୁଜନ ଅନ୍ତେ ବସି ମୁଁ ଏକାନ୍ତେ
ବିଚାରୁଥାଇ ବିଷାଦରେ
ସୁଧା ଖାଉଁ ଖାଉଁ ଶିରଚ୍ଛେଦ ରାହୁ
ହେଲା ପରି ମୁଁ ତ ସ୍ୱାଦରେ । ୨ ।
ଏହି କଥା ଜାଣି ଯମୁନାକୁ ପାଣି
ଆଣି ମୁଁ ନ ଯାଇ ତା ଡରେ
ନାହିଁ ଗୋପପୁରୀ ମଧ୍ୟେ କେତେ ନାରୀ
ଲାଗିଛି ମୋ ସଙ୍ଗେ ବାଦରେ । ୩ ।
ବୃନ୍ଦାବନ ଭଣି ରାଧା ବାଣୀ ଶୁଣି
ଦୂତୀ କହେ ଆହାଲାଦରେ
ତେଜ ମନୁ ଖେଦ ନୁହଁ ଗୋ ବିଷାଦ
ଭେଟାଇବି କୃଷ୍ଣ ପାଦରେ । ୪ ।