Hati Basichi Kisori

ହଟି ବସିଛି କିଶୋରୀ
(Raghunatha— Raga Manjughosa, Tala Ekatali)
(ରଘୁନାଥ— ରାଗ ମଞ୍ଜୁଘୋଷ, ତାଳ ଏକତାଳି)

ହଟି ବସିଛି କିଶୋରୀ
ଭେଟିବାକୁ ବଂଶୀଧାରୀ । ଘୋଷା ।

ନ ଜଡ଼ାଇ ଚିତ୍ତ କାହିଁରେ ଗୋରୀ
ରାଜଡ଼ା ଉପଚାର ପରିହରି
ସଜଡ଼ାଇ ରଖିଥିବା ଘନସାର
ଅଜଡ଼ାଇ ଦେଇକରି । ୧ ।

ଝଡ଼ି ନୟନୁ ଅଶ୍ରୁଧାରା ବାରି
ମାଡ଼ି ବସିଛି ଚିତ୍ତେ ଚିନ୍ତାଗିରି
ଛାଡ଼ି ଦେଇଛି ଅଖିଳ ସୁଖ ଶିରୀ
ଲୋଡ଼ି ତାହା ସଙ୍ଗଶିରୀ । ୨ ।

ମନ୍ଦରଧରାକୁ ସଙ୍ଗରେ ଧରି
ବୃନ୍ଦାବନେ ଭେଟାଇବା ଶ୍ରୀ ହରି
ଫନ୍ଦା ସରିଯିବା ଠାରୁ ଆଉ ଅବା
ନିନ୍ଦାକୁ କି ପାଇଁ ଡରି । ୩ ।

ଦ୍ୱିଜ ରଘୁନାଥ ଚିତ୍ତେ ବିଚାରି
ସଜନୀ ଲାଗି ମୁଁ ହେବି ସଞ୍ଚାରୀ
ଆଜ ଭେଟାଇବି ବ୍ରଜରାଜ ଜେମା
ଲାଜ ଭୟ ଦୂର କରି । ୪ ।