Prana Sangini Re Hela Bada Paramada

ପ୍ରାଣସଙ୍ଗିନୀ ରେ ହେଲା ବଡ଼ ପରମାଦ
(Ramachandra Deba— Raga Panchama Baradi, Tala Jati)
(ରାମଚନ୍ଦ୍ର ଦେବ— ରାଗ ପଞ୍ଚମ ବରାଡ଼ି, ତାଳ ଯତି)

ପ୍ରାଣସଙ୍ଗିନୀ ରେ ହେଲା ବଡ଼ ପରମାଦ
ଶୁଭେ କି ରଞ୍ଜନ ଧଇର୍ଯ୍ୟ କମ୍ପନ
ମୋହନ ମୁରଲୀ ନାଦ । ଘୋଷା ।

ଡାକେ ସରସରେ ନ ରଖେ ବାସରେ
ନିରତେ ଲାଗି ବିବାଦ
ଶୁଣିବା ମାତ୍ରକେ ଅନ୍ୟ ତା ବ୍ୟତ୍ରକେ
ମନରେ ହୁଏ ବିଷାଦ । ୧ ।

ଥିଲେ ଗୁରୁଜନ ହେଲେ ତ ରଞ୍ଜନ
ଝିଙ୍କିନିଏ କରି ପାଦ
ହୋଇଣ ପ୍ରବଳ କରାଏ କେବଳ
ମଦନ ମଦ ଉନ୍ମାଦ । ୨ ।

କି ମଧୁର ଧ୍ୱନି ଲାଗଇ ମୋ ଧୁନି
ବାସରୁ ବଳି ସୁଆଦ
ମରାଇ ରତିରେ ପତିବରତୀରେ
ନିତି କରେ ପରିବାଦ । ୩ ।

ରାମଚନ୍ଦ୍ର ଦେଉ ବୋଲେ କହେ ଆଉ
ଚିନ୍ତି ସେ ଗୁଣାନୁବାଦ
ବୋଲଇ କିଶୋରୀ ତିଳେ କି ପାସୋରି
ଲୋଡ଼େ କାହା ଆହାଲାଦ । ୪ ।