Lajare Sarigali Aja Sajani

ଲାଜରେ ସରିଗଲି ଆଜ ସଜନୀ
(Raghunatha— Raga Khambaja, Tala Ekatali)
(ରଘୁନାଥ— ରାଗ ଖମ୍ବାଜ, ତାଳ ଏକତାଳି)

ଲାଜରେ ସରିଗଲି ଆଜ । ସଜନୀ ଗୋ ।
ବଳେ କୋଳେ ବସାଇଲେ ନାଗରରାଜ । ଘୋଷା ।

ବଜାଇ ମୁରଲୀ ସ୍ୱନ । ହରିନେଲେ ମୋ ଚେତନ ।
ନ ରହି ସଦନେ ମନ ହେଲା ବେଗେ ସଜ । ୧ ।

ଶୁଣି ତା ମୃଦୁ ବଚନ । କେ କରି ପାରିବ ଆନ ।
କେତେ ଛନ୍ଦ କଲି ବୋଲି ବରତିଲି ଆଜ । ୨ ।

ଯିବାରୁ କୁଞ୍ଜ ନିଳୟ । ନ ରହିଲା ମୋର ଭୟ ।
ଜାଣି ନ ଜାଣି ହୋଇ ଧଇଲେ କରକଞ୍ଜ । ୩ ।

ଶୁଣି ଦୂତୀ କହେ ଭାଷା । ପୁଣି ଏ କି ଲୋକହସା ।
ଏ ରସରେ ଭାବି କହେ କବି ଦ୍ୱିଜରାଜ । ୪ ।