Kie Se Sahi E Mana Mohana

କିଏ ସେ ସହି ଏ ମନମୋହନ
(Haribandhu— Raga Kaphi, Tala Ekatali)
(ହରିବନ୍ଧୁ— ରାଗ କାଫି, ତାଳ ଏକତାଳି)

କିଏ ସେ ସହି ଏ ମନମୋହନ । ଘୋଷା ।

ଯା ମଧୁର ବଂଶୀସ୍ୱନ । ଆସି ପଡ଼ିବାରୁ କର୍ଣ୍ଣ ।
ପଥରେ ମଜ୍ଜାଇ ମନ ହଜାଇ ଦେଲା ମୋ ଜ୍ଞାନ । ୧ ।

ଗତ କାଲି କୁଞ୍ଜବନ । ମିଶିଯାଇ ଗୋ ସୁମନ ।
ତୋଳୁ ତୋଳୁ ଯା ଆନନ ଦେଖି ହୋଇଗଲି ଛନ । ୨ ।

ମତ୍ତ ମୟୂର ନର୍ତ୍ତନ । ବୋଲି ବୁଲାଇ ବଦନ ।
ଚାହୁଁ ଚାହୁଁ ଅଚେତନ ହେଲିରେ ଜୀବଜୀବନ । ୩ ।

ଅନୁମାନି ଯା ଲାବଣ୍ୟ । ମୂର୍ତ୍ତି ଛଟା ପରସନ୍ନ ।
ଲେଖିରେ ନାରୀରତନ କରାଇଲୁ ଦରଶନ । ୪ ।

ଶ୍ରୀ ରାଧା ନେତ୍ର ମିଳନ । ହେଉ ଶ୍ରୀ ନନ୍ଦନନ୍ଦନ ।
ଭାବି ଶୋଭା ନିଶି ଦିନ କଲା ହରିବନ୍ଧୁ ଧ୍ୟାନ । ୫ ।