(ସୋମନାଥ ସିଂହ— ରାଗ ଆରଭୀ, ତାଳ ଏକତାଳି)
ଚାହାଁ ପ୍ରାଣ ଈଶ୍ୱରୀ ରେ କୁରଙ୍ଗୀ ନୟନା
ଦେଖ ଗଲି ମୁଁ ସରି ରେ
ସ୍ମରି ସ୍ମରଶର ଆୟତ୍ତ ନେଲା ମୋର
ମରମ ଦହୁଅଛି ଜାଣ ବନ୍ଧୁ ଏଥର । ଘୋଷା ।
ନାଗରୀବର ଚତୁରୀ ରମଣୀ ଧନ
ହୃଦ ହେଲାଣି କତୁରୀ
ପୀରତି କର ରସେ କୀରତି ରହୁ ଦେଶେ
ଧୀର କାମନା ପାଶେ ଥିବି ବସି ଲାଳସେ
(ପଡ଼ି)
କରି ବଡ଼ କୋହ ତର୍ଜିଲା ଏଥର
ଧରି ପ୍ରା ନେବ ଜାଣ ଏ ନିକର
ଚନ୍ଦ୍ରବଦନା ମୋ ଘେନ ଘେନ ଭାଷା
ଆଶା ନ ଭାଙ୍ଗ ତୁ ଆରେ ନାଗରୀଭୂଷା । ୧ ।
କେତକୀ ଗୋରୀ ସୁକେଶୀ କେଶରୀମଧ୍ୟା
ନାହିଁ ସରି କେ ପ୍ରେୟସୀ
ଗୁଣି ହେଉଛି ବସି ବନ୍ଧୁ ନାମକୁ ଘୋଷି
ଘୋଷିଲା ଠାରେ ଦୋଷୀ କଲୁରେ ମଦାଳସୀ
(ପଡ଼ି)
ନ କର ହେଳା ସୁକୁନ୍ଦରଦନା
ଭାଷ ମଧୁର ହାସ ଯାଉ ଏ ମୋ ବେଦନା
ଦାସକୁ ତୋର ନାଶ ନ କର
କର କରୁଣା ଆରେ ଧରୁଛି ତୋର କର । ୩ ।
ସୁନ୍ଦରୀ ମହୀମଣ୍ଡନା ନୁହେଁ ମୁଁ ଦୋଷୀ
ଗଣ୍ଡେ କରକୁ ମଣ୍ଡନା
ବୀଣାଜିଣା ବଚନା ମୁଁ ତୋ ଅଟଇ କିଣା
କାହିଁକି କରୁ ଘୃଣା ଏ ତ ହୋଇଛି ଊଣା
(ପଡ଼ି)
ସହି ନ ପାରିବି ଆଉ ଏଣିକି
ସରି ଗଲିଟି ଥା ତୁ ଜାଣିକି
ଯତିମୋହନାର ଏ କି ରୀତି ଆଜ
ତା ଦେଖି ହଜିଯାଉ ଅଛି ମୋହର ହେଜ । ୩ ।
ପାରିଲେ ଯଶକୁ ତୁ ରଖ ତୁ ମୋର ସାହା
ହେଲୁ ବିବେକୀ ନିରେଖ
କରେ ନ ଆଡ଼ ବାସ ଆସି ମୋ ଅଙ୍କେ ବସ
ଭାଷ ମଧୁରହାସ ଭାଜୁ ସ୍ମର ସାହସ
(ପଡ଼ି)
ଶୁଣି ପ୍ରିୟ ବାଣୀ ରାଧିକା ହସିଲେ
ତେଜି ମନୁ ମାନ ଶ୍ୟାମ କୋଳେ ବସିଲେ
ବୀର ଶ୍ରୀ ସୋମନାଥ ନୃପତି ଭାଷିଲେ
ମୋହନ ମନ ତାପ ଶ୍ରୀମତୀ ନାଶିଲେ । ୪ ।