(ଚକ୍ରପାଣି ପଟ୍ଟନାୟକ— ରାଗ ଆନନ୍ଦଭୈରବୀ, ତାଳ ତ୍ରିପଟା)
ଜାଣିଛ କି ବେଣୁପାଣି ଛନ୍ତି କାହିଁ
ଏ ବନେ ତେଜିଲେ ସେ ଯେ । ଘୋଷା ।
ତରୁଲତା ମାନେ କରୁଅଛ ମାୟା
ମରୁଅଛି ଶୋକରେ ।
ଝରୁଛି ନୀର ନୟନୁ ଅବିରତେ
ଦାରୁଣ ତେଜି ହୃଦରୁ କହିବରେ ।
(ପଡ଼ି)
ଶିଖୀପୁଚ୍ଛ ଚୂଳିଆ ନବଘନ କାଳିଆ
ସଖୀଙ୍କ ସଙ୍ଗଛଡ଼ା ରୁଞ୍ଜଗୁଞ୍ଜମାଳିଆ
ରଖି କପଟେ ଗଲେ ସେ ତନୁପାତଳିଆ
ଦେଖିଅଛ କି ତାଙ୍କୁ କମ୍ପୁଛି ମୋର ହିଆ । ୧ ।
ଜାଇ ଯୂଈ ଲେଶେ ନାହିଁଟି କରୁଣା
ଦୁଃଖୀଜନେ ତୁମ୍ଭର ।
ଚାହିଁ ମୋ ଦୁଃଖ କାହିଁ ପାଇଁ ହସ
ତ୍ରାହି କର ପ୍ରାଣସାଇଁ ଦେଇ ମୋର ।
(ପଡ଼ି)
ଡକାଇ ବଂଶୀସ୍ୱନେ ପକାଇ ଏ ବିପିନେ
ସେ କାହିଁଗଲେ ଦିଶୁ ନାହାନ୍ତି ମୋ ନୟନେ
ଥକାଇ ଚାହୁଁଥିବେ ଆଳୀଗଣ ଅୟନେ
ଏକାକିନୀ ମୋ ଆଉ ଆଶା ନାହିଁ ଜୀବନେ । ୨ ।
କେଳି କରୁଅଛ ଅଳିକୋଳ ତୁମ୍ଭେ
ବିଲୋକିଲ କି କୃଷ୍ଣଙ୍କୁ ।
ଫୁଲ ତୋଳିବାକୁ ମିଳି ସର୍ବ ଗୋପୀ
ଛଳି ତାଙ୍କ ଭଳିରେ ଦେବାକୁ ।
(ପଡ଼ି)
ନନ୍ଦନନ୍ଦନ କେତେ ବନ୍ଦନ କରି ଥରେ
କନ୍ଧ ପରେ ବସାଇ ମନ୍ଦ ରଚିଲେ ମୋରେ
ସୁନ୍ଦରବର ଛାଡ଼ି ଗଲେ ଏ ନିଶାରେ
ପନ୍ଦରବୟସୀ କେ ନାହାନ୍ତି ମୋ ପାଶରେ । ୩ ।
କି କରିବି ଧିକ କାମ ବିନ୍ଧେ ବାଣ
ନେଉଅଛି ମୋ ପ୍ରାଣ ।
ପିକ ନିକର ବକୁଳରେ ବିଳସୁତ
ବିକଳେ ମୁଁ କହେ କର୍ଣ୍ଣେହେଁ ନ ଶୁଣ ।
(ପଡ଼ି)
ଏସନେ ବୃନ୍ଦାବତୀ ବଚନ ଶୁଣି ତୋଷେ
ଆସି ପ୍ରବେଶ ହେଲେ ବ୍ରଜବାଳୀ ହରଷେ
ଭାଷେ ପ୍ରମୋଦ ଗିର ଶ୍ୟାମ ଭେଟି ହରଷେ
ଚକ୍ରପାଣି ପଟ୍ଟନାୟକ ଭାଷେ ଏ ରସେ । ୪ ।