(ଦ୍ୱିଜ ପଦ୍ମନାଭ— ରାଗ ଧନାଶ୍ରୀ, ତାଳ ଯତି)
ବୃଷଭାନୁ ଜେମା କିଶୋରୀକି ତେଜି
ବିଦେଶରେ ଆସି ଯା ଅନାୟତ୍ତେ ରହିଲି ।
(ପଡ଼ି)
ବୀଣା ପାଣି ବିପଞ୍ଚୀ ସୁବଚନୀ
ବନ୍ଧୁ ମୋ ଦୁଃଖରେ ଦୁଃଖୀ
ହୋଇ ନିଶିଦିନ କୁନ୍ଦରଦନା
ଗଜଗତି ମୋ ସଙ୍ଗ ବିନା । ଘୋଷା ।
କଲି ମୁଁ ମନ୍ଦ ବୁଦ୍ଧି ରସନିଧି ଅବଧି
ଗାରକୁ ଧରଣୀରେ ଲେଖୁଥିବ ସେ ବସି ।
(ପଡ଼ି)
ଏଣୀନୟନରୁ ତେଜିବ ପାଣିକି
ଅରୁଣାଧରୀ ସୁକେଶୀ ବନ୍ଧୁ
ଭାସିଯିବନି ଶୋକ ସରିତରେ
ରସବତୀ ଏବେ ମୋ ବିନା । ୧ ।
କରିବେ ସତେ ଶିବ କେବେ ଦିଶିବ ଶିବ
ଡୋଳାପିତ୍ତୁଳା ବାଳଆ ଅଙ୍କେ ଆସି ବସିବ ।
(ପଡ଼ି)
ରଚି ନିଧୁବନ ମୁଞ୍ଚିବି ତାପକୁ
ହରଷେ ବିହରିବି ଏ ରାତି
ପଞ୍ଚଶର ଦର ଦୂର କରି କି
ତା ବଦନେ ଚୁମ୍ବ ବିହିବି । ୨ ।
ଦ୍ୱିଜ ପଦ୍ମନାଭ ଭାଷଇ ଏ ରସରେ
ବିଦେଶରେ ଶ୍ରୀ ହରି ପ୍ରିୟା ଗୁଣ ସୁମରି ।
(ପଡ଼ି)
ଏ ରସ ରାସ ବିଳାସ ମାଧୁରୀ
ବେଶ ବାସ ଭୂଷଣ ପରିହରି
କୁଞ୍ଜେ ନିଶ୍ଚେ ବିହରି ଗୁଣ ଗୁଣି
ମଉନେ ରହିଲେ ଯାହା । ୩ ।