(ମାନଗୋବିନ୍ଦ— ରାଗ ଶୁଦ୍ଧଦେଶୀ, ତାଳ ଝମ୍ପା)
କହୁଥିଲି ଆଗୋ ରାଧେ ନ ଘେନିଲୁ ମନା
ବାଟ ଜଗି ଘାଟ ମାଗେ ନନ୍ଦପୁଅ କହ୍ନା । ଘୋଷା ।
ସୁନ୍ଦରୀ ବ୍ରଜ ରମଣୀବୃନ୍ଦ ମଧ୍ୟେ ଶିରୋମଣି
ମୁଁ ଦୟିନୀ କରୁଛି ତୁ ନ ଯିବୁ ଯମୁନା । ୧ ।
ତୋତେ ଦେଖିବାକୁ ମନ ହେଉଥାଇ ପ୍ରତିଦିନ
ପଥେ ଜଗି ବସିଅଛି ସେ ଛଇଳ କହ୍ନା । ୨ ।
କଲୁ ତାକୁ ହୃଦେ ହାର ହେଲୁ କୁଳରୁ ବାହାର
ବାଜୁଅଛି ବଂଶୀସ୍ୱନେ ବୃନ୍ଦାବନେ ତୋ ନାଁ । ୩ ।
ମାନଗୋବିନ୍ଦ କହଇ ମାନ କଲେ ନ ରହଇ
ତା ନୟନମୁନ ବାଜି ହୋଇଯାଏ ଚୂନା । ୪ ।