(ନୃସିଂହ ଭ୍ରମରବର— ରାଗ ଭୈରବୀ, ତାଳ ଏକତାଳି)
ପ୍ରାଣନାଥ ହେ ମେଲାଣି ଯେ ମାଗୁଥାଅ ମୋତେ
ନ ଯା ବୋଲି ଅମଙ୍ଗଳ ବୋଲିଲି କେମନ୍ତେ । ଘୋଷା ।
ମେଲାଣି ମାଗନ୍ତେ କାନ୍ତ କି ବୋଲନ୍ତି ତରୁଣୀ
ଜାଣିଥିଲେ ସିନା ମୁହିଁ ଶିଖିଥାନ୍ତି ଏ ବାଣୀ । ୧ ।
ଯାଅ ବୋଲି ବୋଇଲେ ତ ସ୍ନେହ ଊଣା ହେଉଛି
ଥାଅ ବୋଲି କହିଲେ ପ୍ରଭୁତ୍ୱପଣ ଦିଶୁଛି । ୨ ।
ଯାହା ଇଚ୍ଛା ତାହା କର ବୋଲି ଯେବେ ବୋଲିବି
ତୁମ୍ଭ ଦାସୀ ହୋଇକି ମୁଁ ଉଦାସିନୀ ହୋଇବି । ୩ ।
ନୃସିଂହ ଭ୍ରମରବର ଶୁଣି ରାମା ବଚନ
ସଜଳ କଜଳ ନେତ୍ରୀ ଗଣ୍ଡେ ଦେଲା ଚୁମ୍ବନ । ୪ ।