Malaya Mande Mande Maruta Bahila Re

ମଳୟ ମନ୍ଦେ ମନ୍ଦେ ମରୁତ ବହିଲା ରେ
(Anangabhima Deba— Raga Kamodi, Tala Athatali)
(ଅନଙ୍ଗଭୀମ ଦେବ— ରାଗ କାମୋଦୀ, ତାଳ ଆଠତାଳି)

ମଳୟ ମନ୍ଦେ ମନ୍ଦେ ମରୁତ ବହିଲା ରେ । ଘୋଷା ।

କେମନ୍ତେ ରେ ସଜନୀ ବଞ୍ଚିବି ଏ ରଜନୀ
ସେ ଗଜେନ୍ଦ୍ରଗମନୀ ଦୂରେ ରହିଲା ରେ । ୧ ।

ନବ ଚୂତ ମୁକୁଳ ହୋଇ କାମେ ଆକୁଳ
କଳ କଳ କୋକିଳ ବାଣୀ ଭାଷିଲା ରେ । ୨ ।

ଜଗତେ ଯେତେ ଯୋଗୀ କରାଇଲା ସଂଯୋଗୀ
ଯାଚି ବିଯୋଗୀଜନ ମନ ମୋହିଲା ରେ । ୩ ।

ଭଣେ ପୁରୁଷୋତ୍ତମ ନୃପ ଅନଙ୍ଗଭୀମ
ଦେଲା କାମିନୀ ବାଧା ସହି ସହିଲା ରେ । ୪ ।