(ନାରାୟଣ— ରାଗ ମଧ୍ୟମାଦି, ତାଳ ଏକତାଳି)
ବର ସାରସନୟନା
ବରଷା ରସ ପ୍ରକଟିଲା ଅନା । ଘୋଷା ।
ନୀଳ ନୀରଦ ଘୋଟିଲେ ଗଗନ
ଝରଝର ଜଳଧର ସେ ଘନ ।
(ପଡ଼ି)
ଘଡ଼ିକି ଘଡ଼ି ରଡ଼ି କରଇ ଘଡ଼ଘଡ଼ି
ଗିରିଶୃଙ୍ଗରୁ ଗଣ୍ଡ ଶୈଳ ପଡ଼େ କି ଝଡ଼ି
ଝଟଝଟ ବିଜୁଳୀ ଝଟକେ ନେତ୍ରେ ଗଳି
ପଡ଼ି ବିରହୀଚୟ ବିରହାନଳେ ସଡ଼ି । ୧ ।
ସୁମନ ମଲ୍ଲୀ ମାଳତୀ ଫୁଟିଲେ
ଦିଶେ ବିଦେଶେ ବାସ ଚହଟିଲେ ।
(ପଡ଼ି)
ଭ୍ରମରେ ଭୁଁକୃତେ ଭ୍ରମିଲେ କାନନେ
ଝିଲ୍ଲି ସମୁଦୟ ଝଂକୃତ ସ୍ୱନ
ଡାହୁଖ କଳଦଳ ମର୍ମଦଳ ତାଡ଼ନ
ଟେକି ପୁଚ୍ଛ କରେ କେକୀ ନର୍ତ୍ତନ । ୩ ।
ଜଳଜମାନେ ଜଳରେ ବୁଡ଼ିଲେ
ବଳାକାପନ୍ତି ଆକାଶେ ଉଡ଼ିଲେ ।
(ପଡ଼ି)
ଦେଖି କି ହରଷ ଭେକ ଭକଭକ
ଶାମୁକ ନାଦ ହିଁ ଶୁଭଇ ଚମକ
ମାନିନୀ ଯୁବତୀର ହୃଦୟ ଦମକ
ହେବନି ନୟନରୁ ଲୋତକ ଥକଥକ । ୪ ।
ନାରାୟଣ ପଟ୍ଟନାୟକ ଭାଷେ
କିଶୋର ବଦନ୍ତି କିଶୋରୀ ପାଶେ ।
(ପଡ଼ି)
ଶକ୍ରଧନୁ ଛଳେ ଅତନୁ ଧନୁ ରୁଚି
ବିନ୍ଧେ ଦମ୍ଭୋଳି ଶର ମର୍ମରେ ଯୋଚି
ଜଡ଼ି ଯା ତନୁରେ ମୋ ତରଜ ମନୁଁ ମୁଞ୍ଚି
ଯାଉ ହରପର ଶର ଗରବ ଘୁଞ୍ଚି । ୫ ।