(ତୁଙ୍ଗ ଦକ୍ଷିଣରାୟ— ରାଗ କେଦାର ଭୈରବ, ତାଳ ଆଦିତାଳ)
ନାଚେ ନାଗରବର ରେ ନାଗରୀ ସଙ୍ଗେ । ଘୋଷା ।
ନବ ଅବଳା ରସେ ଚାରୁ ସୁବେଶ ବେଶେ
ରାସ ଉତ୍ସବ ରସେ ରେ ।
ବରିଲେ ବର କରି ଗଳାରେ ମାଳା ଭରି
ମଙ୍ଗଳ ହେରି ରସେ ରେ ।
(ପଡ଼ି)
ଧରି କର ପ୍ରେମଭର ହାଟକବରନୀର
ଭାଷଣ କରି ମୃଦୁ ମୃଦୁ ବଚନ ଥିର
ଯତ୍ନେ ପନୀର ନୀର ମାରି ସକଳ ପର
ପଙ୍କଜଜିତ ମୁଖୀ କମ୍ପନେ ଥରି ରେ । ୧ ।
ବଳୟ ପରି କରି ବେଢ଼ିଲେ ସହଚରୀ
କାମ ଗରଳେ ଘାରି ରେ ।
ଉନ୍ମାଦ ମାଦ ରଙ୍ଗେ ପ୍ରେମ ହାସ ତରଙ୍ଗେ
ସ୍ଥକିତେ ରହି ବାରି ରେ ।
(ପଡ଼ି)
ଘନଘନ ବଂଶୀସ୍ୱନ ନାଦ ଜଗତେ ପୂରି
ମନ୍ଦ ମରୁତ ପୁଷ୍ପ ପରାଗ ବୃଷ୍ଟି କରି
ଯମୁନା ବହି ତହିଁ ଉଜାଣି ଟେକି ପୂରି
ଅଙ୍ଗ ତରଳି ସ୍ୱେଦ ବିନ୍ଦୁ ନିକିଳି ରେ । ୨ ।
କର୍ଣ୍ଣମୂଳେ ବଚନ କହୁଁ ଦିଏ ଚୁମ୍ବନ
ଇଙ୍ଗିତ ଭଙ୍ଗୀରେ ।
ନାସା ବସଣୀ ଚଳି ଠାଣିରେ ଢଳି ଢଳି
ବକ୍ରନୟନେ ଠାରି ରେ ।
(ପଡ଼ି)
ମୋହି ମନ ଛନ୍ନଛନ୍ନ ଚପଳା ଗତି କରି
ଇନ୍ଦ୍ରର ନୀଳମଣି ସାରଣୀ ପରି ଫେରି
ନୟନ କଟାକ୍ଷରେ ଅଳପ ଚାହିଁ ହରି
ହରିଣନେତ୍ରୀ ତହିଁ ଚଞ୍ଚଳ ବହି ରେ । ୩ ।
ବୀଣା ବେହେଲା ଗିନି ଅମୃତୀ ସୁର ତିନି
ପଖାଉଜ ସିତାରା ରେ ।
ସରୁ ମର୍ଦ୍ଦଳ ଘେନି କର୍ଣ୍ଣ ମଧୁର ଧ୍ୱନି
ସାରଙ୍ଗୀ ବାଇ ଧୀରରେ ।
(ପଡ଼ି)
ଗିରିଧର ନଟବର ଗୋପୀ ହୃଦଚନ୍ଦନ
କଟୀତଟ ପୀତପଟ ରୁଚିର ଶୋଭନ
ବ୍ରଜଲଳନା ଚିତ୍ତଚାତକ ନବଘନ
ନକ୍ଷତ୍ର ମଧ୍ୟେ ଉଦେ କି ଶଶଧର ରେ । ୪ ।
ମାଳବ ରାଗ ନାଟ ବେଲାବଳୀ କର୍ଣ୍ଣାଟ
ଗାନ୍ଧାର କେଦାର ରେ ।
ବାନ୍ଧି ଗାଇଲେ ଧୀରେ ଛତିଶ ରାଗିଣୀରେ
ପିକବଚନୀ ଖରେ ରେ ।
(ପଡ଼ି)
ସା ସାରି ସାରି ଆଦି ପଡ଼ି ତାଳରେ
ଝମ୍ପା ତିହଡ଼ା ଯତି ନିଃସାରୀ ସା ରି ଗା ରେ
ପହପଟେ ତା ତାହା ଦିମି ଦିମି ଦିଡ଼ିମିରେ
ଗା ଗା ରି ଗା ରି ନି ଗା ମା ଗା ମା ରେ ।୫ ।
ତୁଙ୍ଗ ଦକ୍ଷିଣ ରାୟ ମହାପାତ୍ର ବିନୟ
ପାଦଖଞ୍ଜା ନୂପୁର ରେ ।
ସଡ଼କ ସ୍ୱର କରି ସା ନି ଧା ପା ମା ଗା ରି
ଧ୍ୱନି କରି ପ୍ରଚାର ରେ ।
(ପଡ଼ି)
ତାଳ କରି ଉକୁଟ ତା ଦ୍ରିମି ଦ୍ରିମି କିଟ
ତା ତା ତାରି କିଟ ଦିଦିଗଣ ଥୋ
ଥୁକୁ ତାକ ଥିକି ତାକ ଝିକ୍ରିଣା କ୍ରିଣା ତାକ
ତାତା ଦଧିଗଣ ଧ୍ରୀମି କିଟ ଥେଇ ରେ । ୬ ।