Na Sare Mo Dina Dinabandhu Lagi

ନ ସରେ ମୋ ଦିନ ଦୀନବନ୍ଧୁ ଲାଗି
(Hrudananda— Raga Bhairabi, Tala Khemata)
(ହୃଦାନନ୍ଦ— ରାଗ ଭୈରବୀ, ତାଳ ଖେମଟା)

ନ ସରେ ମୋ ଦିନ ଦୀନବନ୍ଧୁ ଲାଗି ।
ଦୀନ ଚାତକିନୀ ଏ ଦିବା ରଜନୀ
ବସିଛି ପଥ ଜଗି । ଘୋଷା ।

ଗୁନ୍ଥିବାକୁ ଦିନ ହେବ ଗୋ ସୁଦିନ
ଦୀନବନ୍ଧୁ ଯେବେ ଦେବେ ଦରଶନ
ଏ ଦିନ କି ଯାଇ ହୋଇବ ସେ ଦିନ
ସୁଖ ସମ୍ପଦ ଭୋଗୀ । ୧ ।

କୁଞ୍ଜବନ ତେଜି କୁଞ୍ଜ ବିନୋଦିଆ
ହରିଣୀନେତ୍ରୀକି କଲେ ଯା ନିର୍ଦ୍ଦୟା
ମଞ୍ଜୁ ଗୁଞ୍ଜମାଳ ଗୁନ୍ଥିଅଛି ନୂଆ
କିଏ ହୋଇବ ଲାଗି । ୨ ।

ଜଳ ନ ପାଇଣ ମୀନ ଯେହ୍ନେ ଜଳେ
ବନ ଦାବାନଳେ ବନ ଯେହ୍ନେ ଜଳେ
କୃଷ୍ଣ ଖେଦାନଳେ ବିରହିଣୀ ଜଳେ
ଜଳ ବିନା ଅଭାଗୀ । ୩ ।

ଏ କୁଳ ସେ କୁଳ ଗଲା ବେନି କୁଳ
ନିରତେ ଆକୁଳ ହୁଅଇ ଗୋକୁଳ
କହେ ହୃଦାନନ୍ଦ ଏ ଯମୁନା କୂଳ
ଗୋକୁଳେ ହେବି ଯୋଗୀ । ୪ ।