(ଗୌରହରି— ରାଗ ପଟ୍ଟମଞ୍ଜରୀ, ତାଳ ରୂପକ)
ସଖୀ ମାନ ତେଜ ଆଜ ରେ
ସାରଙ୍ଗେ ଆଜ
ସାରଙ୍ଗ ମୋହିନୀ ସାରଙ୍ଗ ବଚନୀ
ସାରଙ୍ଗ ଘେନ ତୁ ଏହି ଅରଜ । ଘୋଷା ।
ସାରଙ୍ଗେ ଶରୀର ହେଉଛି ଘାରି
ସାରଙ୍ଗ ଯୌବନ ଦେଖି ତୋହରି
ସାରଙ୍ଗ ଲପନୀ ସାରଙ୍ଗ ନୟନା
ସାରଙ୍ଗ ନାଶିନୀ ନାଗରୀରାଜ । ୧ ।
ସାରଙ୍ଗ ବଦନୀ ହର ବେଦନା
ସାରଙ୍ଗେ କହୁଛି ତୋର ନବୀନା
ସାରଙ୍ଗେ ବସାଇ ସାରଙ୍ଗେ ରସାଇ
ସାରଙ୍ଗେ ହର ତୁ ଭିଡ଼ି ଉରଜ । ୨ ।
ସାରଙ୍ଗ ବିଷେ ଯେ ହେଉଛୁଁ ଘାରି
ସାରଙ୍ଗ ଧରୁଛୁଁ ଶୁଣ ସୁନ୍ଦରୀ
ସାରଙ୍ଗ କିଶୋରୀ ସାରଙ୍ଗ ଯେ ସ୍ମରି
ସାରଙ୍ଗେ ଉଠ ମୋ ନାଗରୀରାଜ । ୩ ।
ସାରଙ୍ଗେ ବଚନ ଶୁଣିଣ ଗୋରୀ
ସାରଙ୍ଗରେ ଯାଇ କରିଲେ କେଳି
ସାରଙ୍ଗେ ମୋ ରାଣ ସାରଙ୍ଗ ତେଜିଣ
ସାରଙ୍ଗେ ଆବୋରି ବସିଲେ ଶେଯ । ୪ ।
ସାରଙ୍ଗ ବିଧି ସେ ସାରିଣ ଗଲେ
ସାରଙ୍ଗ ଦର୍ଶନ ଯାଇଁଣ କଲେ
ପୂଜି ହରଗୌରୀ ଆସିଲେ ଯେ ପରି
କହେ ଗୌରହରି ହେ ରସରାଜ । ୫ ।