(ଦୀନବନ୍ଧୁରାଜ— ରାଗ ମୋହନ କେଦାର, ତାଳ ଯତି)
ନ ଜାଣି ମୁଁ କଲି ପୀରତି
କେ ଜାଣିଥିଲା ଗୋ ଏହା
ଭଜିଲେ ହେବ ବିପତ୍ତି
ତେଜିଲେ ତ ନାହିଁ ସାହା । ଘୋଷା ।
ସରଜି ନିଷେଧ ଗିର
ତରଜିଲେ ସଖୀ ମୋର
ବରଜି ବୋଲ ତାଙ୍କର
ଅରଜିଲି ସଖି ଏହା । ୧ ।
ରସିଲା ଦିନୁ ମୋ ଚିତ୍ତ
ଭାସିଲା ସତୀ ବରତ
ଖସିଲା ଧର୍ଯ୍ୟ ଜୀବୁତ
ନାଶିଲା ମୋର ଉତ୍ସାହା । ୨ ।
କରିବାରୁଁ ପରପ୍ରୀତି
ମରିବାର ଭଲ ଗତି
ସରିବା ନୁହେଁ ବିପତ୍ତି
ତରିବାକୁ ନାହିଁ ରାହା । ୩ ।
ନରମେ ଦିବସ ନିଶି
ସରମେ ମୁଁ ଥିଲି ବସି
ଭରମେ ପଡ଼ିଲି ଆସି
କରମେ ମୋ ଥିଲା ଯାହା । ୪ ।
ଭୁଲି ତ ଗଲା ମୋ ମତି
ମଲି ତ ଏବେ ମୁଁ ନିତି
ହେଲି ତ ଦୁଃଖୀ ପୀରତି
କଲି ତ ମୁଁ କଥା ରୁହା । ୫ ।
ଏସନ ଏ ସଖୀ କହି
ତୋଷ ମନେ ବହି ସହୀ
ଲେଶ ମଧୁରତା ନାହିଁ
ବିଷମ ପୀରତି ସ୍ପୃହା । ୬ ।
ଦୀନବନ୍ଧୁ ରାଜ ଭଣି
ମୀନବର ନେତ୍ରୀ ଶୁଣି
ଦିନେ ବଞ୍ଚିଲେ ସେ ପୁଣି
ସୁ-ନବ-ନୀରଦ ଦେହା । ୭ ।