(ପଙ୍କଜ— ରାଗ ମିଶ୍ରମୁଖାରୀ, ତାଳ ତ୍ରିପଟା)
ହେ ମୋହନ । ଯା ଯା ମୋ ପାଶୁଁ ବହନ । ଘୋଷା ।
ଜାଣିଲି ତୋର ମତି ଦଗା ଦେବାର ରୀତି
ଆଉ ନ ଭାଷ ବଚନ । ୧ ।
ଗତ କାଲି ରଜନୀ ହେଲି ମୁଁ ଏକାକିନୀ
ରହିଲୁ କାହା ସଦନ । ୨ ।
କହୁ ଥାଉ ତୁ ପରା ଆରେ ମହତସରା
ନ ସରୁ ଯୁବତୀ ଆନ । ୩ ।
ଏବେ କାର ବସନ କରିଛ ପରିଧାନ
ଶ୍ରୀଅଙ୍ଗେ ଦିଶେ କି ଚିହ୍ନ । ୪ ।
ସେ ବିମ୍ବାଧରୁ ମଧୁ ପିଇଅଛି କେ ବଧୂ
ଶୁଖିଛି ଚନ୍ଦ୍ରବଦନ । ୫ ।
ପୁଣି ସେ ଗଣ୍ଡଦେଶ ଲାଗି ତାମ୍ବୁଳ ରସ
ହୋଇଛି କେଡ଼େ ଶୋଭନ । ୬ ।
ଛି ଛି ଏଡ଼େ ଲମ୍ପଟୀ ଦେଖି ନାହିଁ ମୁଁ ସୃଷ୍ଟି
ଲଜ୍ଜା ନାହିଁ ତୋ ଲପନ । ୭ ।
ଏପରି ତୁ କପଟୀ ଜାଣିଥିଲେ ମୁହିଂଟି
ରସିଥାନ୍ତା କି ମୋ ମନ । ୮ ।
ଆଜିଠାରୁ ଶ୍ରୀପତି ତେଜିଲି ତୋ ପୀରତି
ପଙ୍କଜ କରଇ ଧ୍ୟାନ । ୯ ।