Nabina Mani Mo Bina Sari Jibani

ନବୀନାମଣି ମୋ ବିନା ସରି ଯିବଣି
(Pankaja— Raga Kalyana Ahari, Tala Jati)
(ପଙ୍କଜ— ରାଗ କଲ୍ୟାଣ ଆହାରୀ, ତାଳ ଯତି)

ନବୀନାମଣି ମୋ ବିନା ସରି ଯିବଣି । ଘୋଷା ।

କଣ୍ଟ ଯିବାରୁ ଗଡ଼ି । ଖଣ୍ଟ ମଦନ ପୀଡ଼ି ।
ହାଟକାଙ୍ଗୀର ମୋର ଆଣ୍ଟ ଭାଙ୍ଗି ଦେବଣି । ୧ ।

ଅଣିମାଦି ଦାୟୀର । ପାଣି ରତ୍ନାଦି ହାର ।
ଫଣୀ ବୋଲି ଜାଣି ସେ ଛିଣ୍ଡାଇବ ଟାଣି । ୨ ।

ବେଶ ଭୂଷା ବସନ କେଶବନ୍ଧା ଅଶନ
ବିଷ ପରାୟ ମଣି ରମଣୀ ତେଜିବଣି । ୩ ।

ଶରଦ ଇନ୍ଦୁ ଦ୍ୟୁତି । ନୀରଦକେଶୀ କ୍ଷିତି ।
କର ନିବେଶି ଗଣ୍ଡେ କରଜେ ଚିରିବଣି । ୪ ।

କଳକଣ୍ଠୀ ମୋ ଧନ । ବଳହୀନା ହୋଇଣ ।
ତଳପ ଛାଡ଼ି ବଳେ ତଳରେ ଗଡ଼ିବଣି । ୫ ।

ଦିବା ବିଭାବରୀରେ । ବିମ୍ବ ଅଧରୀ ମୋରେ ।
ଯିବାକୁ ତା ପାଶେ ଶିବାଙ୍କୁ ଧ୍ୟାଇବଣି । ୬ ।

ପଙ୍କଜ କହେ ଗିର । ଅଙ୍କମଣ୍ଡନା ମୋର ।
ରଙ୍କ କିଙ୍କର ପାଇଁକି ଦୁଃଖ ଲଭିବଣି । ୭ ।