(ପୁରୁଷୋତ୍ତମ ନୃପ— ରାଗ ଶଙ୍କର କାମୋଦୀ)
ସୁରତେ ତୋଷିବି ନାହା
ଏ ଦିନେ ମଦନେ ଦୁଃଖୀ ସଜନୀ ନାହିଁ ମୋ ସାହା । ଘୋଷା ।
ବରଷେ ରଜନୀ ଦିନ ସରସେ ଡାକଇ ଘନ
ତର ସେ ମଦନ ହୀନ ବିରସେ ମୁଁ ହେଲି ଲୀନ
ନିରତେ ଡାକଇ କେକୀ ପୁରତେ ତା ପୁଚ୍ଛ ଟେକି
ତେଜିଲେ କେଉଁ ଦୋଷକୁ କାନ୍ତ ମଜ୍ଜିଲେ କେଉଁ ରମଣୀରେ ଆହା । ୧ ।
କହରେ କି ପ୍ରତିକାର ଅହରେ ହେଲା ଅନ୍ଧାର
ବହରେ ମୋ ଦୁଃଖଭାର ପ୍ରହାରେ କୁସୁମ ସର
ଫୁଟିଲା କେତକୀ ନୀପ ତୁଟିଲା ମାନିନୀ ତାପ
ଘୋଟିଲା ଆସିକି ପାପ ହଟିଲା ମଦନ ଯାହା । ୨ ।
ବହିଲା ଝାଞ୍ଜି ମରୁତ ଦହିଲା ବିଯୋଗୀ ଚିତ୍ତ
ସହିଲା ଦେହ ଏମନ୍ତ ରହିଲା କାହିଁ ମୋ କାନ୍ତ
ବରଷେ ହେଲା ବିଦେଶ କି ରସେ ହେଲି ମୁଁ ବଶ
ପୁରୁଷୋତ୍ତମ ନରେଶ ସୁରସେ ଭଣିଲେ ଏହା । ୩ ।