Nahin Ki Mane Tora Syama Nagara Riti

ନାହିଁ କି ମନେ ତୋର ଶ୍ୟାମ ନାଗର ରୀତି
(Managobinda— Raga Malabagouda, Tala Tripata)
(ମାନଗୋବିନ୍ଦ— ରାଗ ମାଳବଗୌଡ଼ା, ତାଳ ତ୍ରିପଟା)

ନାହିଁ କି ମନେ ତୋର ଶ୍ୟାମ ନାଗର ରୀତି
କାହିଁକି ବୋଲୁଥାଉ ନାଆଁ ରେ । ଘୋଷା ।

ବିଟରାଟ ସୁମନଲିଟ ପରି ତା ମନ
ପ୍ରୀତି ଲୋଡ଼ଇ ନୂଆ ନୂଆ ରେ । ୧ ।

ମୁଞ୍ଚିଲା ବେଳେ ଜୀବ ସଞ୍ଚି ସଲିଳ ଲବ
ବିଞ୍ଚି ଦେଉ ପରା ବାଆ ରେ । ୨ ।

ହେଉ ପଛକେ ନିନ୍ଦା ପ୍ରୀତି ପତାକା ବନ୍ଧା
ନ ଯିବି ସଜନୀ ତୁ ଯାଆ ରେ । ୩ ।

ଏ ଗୋପପୁରେ ଯେତେ ମୋ ପରି ଛନ୍ତି କେତେ
ମହୀପଲଙ୍କ ପରେ ଶୁଆ ରେ । ୪ ।

ମୋତେ କଟୁ ତୋ କଥା ତୋତେ କହୁଛି ନ ଥା
ନ ଥାନ୍ତୁ ଆଉ ଶାରୀ ଶୁଆ ରେ । ୫ ।

କହେ ମାନ ରାଧିକା କାହ୍ନୁ ହୋଇଛି ଏକା
କୁଞ୍ଜଭୁବନକୁ ତୁ ଯାଆ ରେ । ୬ ।