(ମାନ୍ଧାତା— ରାଗ ରଣବିଜେ, ତାଳ ଏକତାଳି)
ମୋ ଗତି ଏକା ଶ୍ରୀପତି ଦୂତୀ ରେ । ଘୋଷା ।
ନାହିଁରେ ଜୀବନ ଧନ । କାହିଁରେ ପ୍ରୟୋଜନ ।
ଏହୁ ଗୁରୁଜନ ଜାତି ପତିରେ । ୧ ।
ମାନସ ନୟନ ପ୍ରାଣ । କରିଛି ମୁଁ ସମର୍ପଣ ।
ଦର୍ପଣ ପରି ତାହାକୁ ପ୍ରୀତିରେ । ୨ ।
ସହି ଗୋ ମାନାପମାନ । ସେହି ସୋଦର ସମାନ ।
ମହୀ ପରି ବହିଅଛି ଛାତିରେ । ୩ ।
ତୁ ଯେ ବୋଲୁଅଛୁ ଛାଡ଼ । ମୁଁ ଯେ କରିଅଛି ଦୃଢ଼ ।
ସେ ଶ୍ୟାମ ସ୍ନେହକୁ ଏ ଜଗତୀରେ । ୪ ।
ମାନଧାତା ବଦତି ରସେ । ବସିଥିବି ତାଙ୍କ ପାଶେ ।
ଏହି ବାଞ୍ଛା ମୋର ଦିନ ରାତିରେ । ୫ ।