(ରାମକୃଷ୍ଣ କବିଚନ୍ଦ୍ର— ରାଗ କାନଡ଼ା)
ସେ ନବୀନ ଯୁବାବର ମୋ ନୟନେ ନାଚିଲା । ଘୋଷା ।
ସେ ସ୍ନେହକୁ ଭାବି ଭାବି ପୁଲକ ଅଶ୍ରୁରେ ଦ୍ରବି
ମନ ତାକୁ ଧନ ପରି ନିତି ହୃଦେ ସଞ୍ଚିଲା । ୧ ।
କେ ଜାଣଇ କାହା ଚିତ୍ତ କେ କରିଛି କାହା ହିତ
ଯାହାକୁ କହିଲି ସେ ତ ମୋ ପ୍ରାଣ ପାଞ୍ଚିଲା । ୨ ।
ପ୍ରୀତି ମାଦକରେ ବୁଡ଼ି ଗଲେ କେ ପାରିବ ଛାଡ଼ି
କେ ଶୁଣିଛି ପ୍ରୀତି ତେଜି କେ ମହୀରେ ବଞ୍ଚିଲା । ୩ ।
ଦିଅନ୍ତି ଅବା ମୂରୁଛି ସେ ତ ପାଶକୁ ଧରିଛି
ଜୀବ ଗଲେ ଯିବ ସେ ମୋ ମନରୁ ନ ଘୁଞ୍ଚିଲା । ୪ ।
ରାମକୃଷ୍ଣ କବିଶଶୀ ଭାଷେ ଶ୍ରୀ କିଶୋରୀ ଭାଷି
ଜାଣିଲି ମୋ ଦୁଃଖ ଲତା ଫଳ ଫଳି ପାଚିଲା । ୫ ।