Aau Ki Upaya Kari Mohanaku Paibi

ଆଉ କି ଉପାୟ କରି ମୋହନକୁ ପାଇବି
(Dwija Lokanatha— Raga Paraja, Tala Ekatali)
(ଦ୍ୱିଜ ଲୋକନାଥ— ରାଗ ପରଜ, ତାଳ ଏକତାଳି)

ଆଉ କି ଉପାୟ କରି ମୋହନକୁ ପାଇବି
ଶ୍ୟାମବନ୍ଧୁ ବିନେ ମୁହିଁ କାଳକୂଟ ଖାଇବି ଗୋ । ଘୋଷା ।

କାହାକୁ କରିବି ସାହା କେ ଦେବ ମୋ ପ୍ରାଣନାହା
ଖଣ୍ଡିବ ମୋ ଦୁଃଖ ଆହା କାହା ଆଗେ କହିବି । ୧ ।

କରି ତା ଶ୍ରୀଅଙ୍ଗ ସେବା ବଞ୍ଚିବି ରଜନୀ ଦିବା
ଲାଜ ଭୟ ଛାଡ଼ି ଏବେ କାହା ନାମ ଗାଇବି । ୨ ।

କଲି ତାହା ଠାରେ ଆଶା ଭୋଗ କଲି ଏତେ ଦଶା
କେବଳ ମୋ ଲୋକହସା ସହି କେତେ ରହିବି । ୩ ।

କହେ ଦ୍ୱିଜ ଲୋକନାଥ ଆୟତ୍ତ ନୋହିଲା ଚିତ୍ତ
ସତ୍ୟ କହୁଅଛି ମିତ ନିଶ୍ଚେ ପ୍ରାଣ ହାରିବି । ୪ ।