Naha Rahile Kaha Sadane Go

ନାହା ରହିଲେ କାହା ସଦନେ ଗୋ
(Somanatha Singha— Raga Bhatiari, Tala Ekatali)
(ସୋମନାଥ ସିଂହ— ରାଗ ଭାଟିଆରୀ, ତାଳ ଏକତାଳି)

ନାହା ରହିଲେ କାହା ସଦନେ ଗୋ
ମୋର ଯାହା ହେଉଛି ଦେହ ମଦନେ ଗୋ
କା ଆଗେ କହିବଇଁ ସାହା ତ କେହି ନାହିଁ
ଆହା ବୋଲନ୍ତି ଚନ୍ଦ୍ରବଦନେ ଗୋ । ୧ ।

ଆସିବେ ବୋଲି ନନ୍ଦକୁମର ଗୋ
ବେଗେ ମଣ୍ଡନ କଲି କେଳିମନ୍ଦିର ଗୋ
ନାନା କୁସୁମେ ଆଳୀ କରେ ଗୁନ୍ଥାଇ ମାଳି
ଗୋଳି ରଖିଲି ଚୂଆ ଚନ୍ଦନ ଗୋ । ୨ ।

ବାସକସଜ୍ଜା କେଳି ସଦନେ ଗୋ
ସହି ନିଶି ବଞ୍ଚିଲି ଘୋର କଦନେ ଗୋ
ରମଣୀ ଶିରୋମଣି କେଉଁ ମାନସ କିଣି
ନେଲା କଟି କିଙ୍କିଣୀ ବାଦନେ ଗୋ । ୩ ।

ସୋମନାଥ ବୀରବର ବଦତି ଗୋ
କୁଶଳେ ଅନୁଗୁଳ ଭୂପତି ଗୋ
ବୋଲନ୍ତି ରାଜସୁତା ହୋଇଣ ଉତ୍କଣ୍ଠିତା
ମତେ ନିବେଶି କେଳିସଦନ ଗୋ । ୪ ।