Chhanda Charana Mote Tariba Ki

ଛନ୍ଦା ଚରଣ ମୋତେ ତାରିବ କି
(Mohana Gosein)
(ମୋହନ ଗୋସେଇଁ)

ଛନ୍ଦା ଚରଣ ମୋତେ ତାରିବ କି
କନ୍ଦାଇ କନ୍ଦାଇ ମାରିବ କି
ଫନ୍ଦା କଲି ବୋଲି ପଦାରବିନ୍ଦକୁ
ଧନ୍ଦାରେ ପକାଇ ସାରିବ କି । ଘୋଷା ।

ବନ୍ଧା ଦେଇଛି ଏ ଜୀବନକୁ
ବୃନ୍ଦାବନ ମଦନମୋହନଙ୍କୁ
ନିନ୍ଦା ତେଜି ପ୍ରେମ ମନ୍ଦାକିନୀ ଧାରା
ନୟନୁ ଝରି ତନୁ ଘାରିବ କି । ୧ ।

କନ୍ଦାଇଲ ମୋହ ମାୟା ପାଶେ
ନନ୍ଦାତ୍ମଜ ପ୍ରଭୁ ନିଜ ଦାସେ
ବନ୍ଦାଇବା ଲାଗି ବନ୍ଦାଣ ତଣ୍ଡୁଳ
(ଦାସୀ) ଥାଳି ଧରି ରହି ପାରିବ କି । ୨ ।

ମନ୍ଦାର ଅଧରା ବ୍ରଜବାଳୀ
ପିନ୍ଧାବାସ ଚୋରା ବନମାଳୀ
ଚନ୍ଦ୍ରାବଳୀ ନାଥ ବୋଲି ଗରବରେ
ରାଧା ଦାସୀକି ନ ଠାରିବ କି । ୩ ।

ଅନ୍ଦାଜେ ନ ଜାଣେ ଅନ୍ଧ ମୁହିଁ
ଛନ୍ଦା ଚରଣ ପାଇବି କାହିଁ
ବୃନ୍ଦାବନେଶ୍ୱରୀ ସେବକୀ ମୋହନା
ଯମୁନାରେ ଜୀବ ହାରିବ କି । ୪ ।