Asa Go Braja Nagari Modaku Bhari

ଆସ ଗୋ ବ୍ରଜନାଗରୀ ମୋଦକୁ ଭରି
(Rajakisora Deba— Raga Mohanaa, Tala Ekatali)
(ରାଜକିଶୋର ଦେବ— ରାଗ ମୋହନା, ତାଳ ଏକତାଳି)

ଆସ ଗୋ ବ୍ରଜନାଗରୀ । ମୋଦକୁ ଭରି ।
ବନୁ ଆସନ୍ତି ଶ୍ରୀ ହରି । ଘୋଷା ।
ଧବଳୀ ସୁରଭୀଗଣ ଚରଣରେ ରେଣୁକଣ
ପ୍ରାଚୀ ଅଙ୍ଗରେ ପ୍ରାଙ୍ଗଣ ପ୍ରଦୋଷେ ଗଲାଣି ପୂରି । ୧ ।

ସ୍ୱେଦ ପୂରିଛି ଶ୍ରୀଅଙ୍ଗେ । ସଖାଙ୍କ ସଙ୍ଗେ ।
ବିହରି ତାଣ୍ଡବ ରଙ୍ଗେ ।
ନବୀନ ଘନବରନ ସୁମଧୁର ଅପଘନ
ଯୁଗମଣ୍ଡଳୀ ମଣ୍ଡନ ହେଲାଣି ଏ ପୁର ଲାଗି । ୨ ।

ଆସ ଗୋ କାଞ୍ଚନମାଳା । କାହିଁକି ହେଳା ।
କରୁଛ କେଳିକୁଶଳା ।
କି କରୁଅଛ ସଦନେ ମୁରଲୀ କାକଳୀ କାନେ
ପଡ଼େ ନାହିଁ କି ମୋହନେ ଆସ କର ତୁ ସଙ୍ଖୋଳା । ୩ ।

ଆସ ଗୋ ହେମମଞ୍ଜରୀ । ରଖ କବେରୀ ।
ବନ୍ଧନ ମୃଗ ଚଉଁରୀ ।
ସଫଳ କର ନୟନ ଚାହିଁ ଏ ରୂପ ଲାବଣ୍ୟ
ଲୋଡ଼ିଲେ ଆଉ ସୁଦିନ ନ ପାଇବୁ ତୁ ଏପରି । ୪ ।

ଲଳିତା ଶୁଣି ଏ ବାଣୀ । ଯାଇଁ ସେକ୍ଷଣି ।
ଶ୍ରୀମତୀ ପାଶରେ ଭଣି ।
ଭାଷିଲେ ଭୂପତି ଶିରମୁକୁଟ ରାଜକିଶୋର
ଚନ୍ଦ୍ରରାଜ ସୁରରାଣ ସେ ଗୋପୀଙ୍କ ଭାବ ଗୁଣି । ୫ ।