(ଗୋବିନ୍ଦ— ରାଗ ବଜ୍ରକାନ୍ତି, ତାଳ ଏକତାଳି)
ଘନଶ୍ୟାମକୁ କହ ଗୋ ଦୂତିକେ ଯାଇ
ଘନ ଘନ ବୃଷଭାନୁ ଜେମା ନେତ୍ରୁ ନୀର ବହଇ । ଘୋଷା ।
ଘନେ ଯେସନେ ଚନ୍ଦ୍ରମା ସେହି ପ୍ରାୟେ ରାଜଜେମା
ଘର ମଣିଲେଣି ରାମା ପରବତ ବନ ଭୂଇଁ ।
(ପଡ଼ି)
ମନୋହର କୁଞ୍ଜ କୁଟୀରେ ଦେଉ ସଞ୍ଜ
ଆସିଛି ଦୈତ୍ୟଗଞ୍ଜ ଦୁଃଖୀ ଆରତଭଞ୍ଜ
ଆସ ନୟନକଞ୍ଜ ଶ୍ରୀମତୀ ସଙ୍ଗେ ରଞ୍ଜ
ମାର ଦର୍ପକୁ ଗଞ୍ଜ ନିକୁଞ୍ଜ ବରବିରହୀ । ୧ ।
ଘନେ ତାପବଳୀ ରୁପି ପ୍ରହାରଇ ପବଦର୍ପୁ
ଘଡ଼ିକେ ପାଇଲା ବପୁ ଗମାର ମାରଣା ଦେହୀ ।
(ପଡ଼ି)
ଘର୍ଘର ଘଡ଼ଘଡ଼ି ନାଦ ତ ତଡ଼ବଡ଼ି
ଦେଉଛି ଘଡ଼ି ଘଡ଼ି କାମ ଶମନ ଧାଡ଼ି
କହିଛି କର ଯୋଡ଼ି ଦାସୀ ଭୂମିରେ ପଡ଼ି
ହା କୃଷ୍ଣ ବୋଲିଣ ବିବେକ ଜ୍ଞାନ ହଜାଇ । ୨ ।
ଘୃମିତ ଲୋଚନ ଦିଶେ ସ୍ନେହୀ ତ ବାଳା ବିଶେଷେ
ଘୃଣା ପାଇବାରୁ ହାସେ ଊଣା ତେଜ ତା ଦିଶଇ ।
(ପଡ଼ି)
ଘଟଣ ମୁଖଶ୍ରେଣୀ ବିମଳ ଦିଶିଲାଣି
ଘନ କୁନ୍ତଳ ବେଣୀ ଫିଟି ଲୋଟେ ଧରଣୀ
ଘଟସ୍ତନାର ପୁଣି ନୟନୁ ବହେ ପାଣି
ଜାଣ ନାହିଁ କି ବେଣୁପାଣିକି କହିବଇଁ । ୩ ।
ଘୁମାଇଲା ପରି ରାଧା ଘୋଟିଛି ବିରହ ବାଧା
ଘାରି ହୋଇ ଢଳି ପଡ଼ୁଁ ତୋଳି ଧଇଲେ ପ୍ରମାଦ ।
(ପଡ଼ି)
ନିଶାର୍ଦ୍ଧ କାଳେ ଭେକବୃନ୍ଦ ଦିଅନ୍ତି ଡାକ
ଶାମୁକ ମକମକ ଝିଙ୍କାରୀ ସ୍ୱନ ଟେକ
ଶୁଣି କର୍ଣ୍ଣ ତବ୍ଦକ ହୃଦୟ ଦକଦକ
କରାଇ ଦିଏ ମୂକ ନିକର କଥା ଏହି । ୪ ।
ଘେନିଯାଅ ଏ ବାରତା ବୋଧି ଆଣ ରସିକତା
ଘାଣ୍ଟି ହେଉଛି ଅଙ୍ଗ ତା ତେଣୁ ଛନ୍ତି ପଠିଆଇ ।
(ପଡ଼ି)
ଘନାନ୍ତେ ଲେଖା ଲେଖି ଦେଲେକ ଚନ୍ଦ୍ରମୁଖୀ
ତା ଘେନି ଚଳେ ଦୂତୀ ହୋଇଣ ନିରିମାଖି
ଚନ୍ଦ୍ରାବଳୀର ପୁରେ ଶ୍ରୀ କୃଷ୍ଣ ଥିବା ଦେଖି
ଗୀତେ କହେ ଗୋବିନ୍ଦ ଗବାକ୍ଷେ ପତ୍ର ଦେଇ । ୫ ।