E Ghana Dina Sakhi Chahan

ଏ ଘନ ଦିନ ସଖୀ ଚାହାଁ
(Guniratna— Raga Kedaragouda, Tala Kuduka)
(ଗୁଣୀରତ୍ନ— ରାଗ କେଦାରଗୌଡ଼ା, ତାଳ କୁଡ଼ୁକ)

ଏ ଘନ ଦିନ ସଖୀ ଚାହାଁ
ବଞ୍ଚିବି ଏକାଳେ କେହି ମୋ କୋଳେ ନାହିଁ ନାହା । ଘୋଷା ।

ଝଙ୍କାଇ ଝଞ୍ଜା ମରୁତ ଝଙ୍କରୀ ରୁତ
ଶାମୁକ ଡାକ ବହୁତ କାରା ଭବନ ।
ଏକେ ଦମ୍ଭୋଳି ଦମକ ଦୁଜେ ଚଞ୍ଚଳା ଚମକ
ମିଶିଛି କାମ ଧମକ ଯିବ ଜୀବନ ।
(ପଡ଼ି)
ଦୁର୍ଦ୍ଦିନ ଦିନ୍ଦ ଦେଖି ମୁଦି ନୟନ ରଖି
ମୁଁ ଦୀନ ହେଲି ସଖୀ ବୁଦ୍ଧି ନ ଦିଶେ ଆହା । ୧ ।

ଡାହୁକ ଭେକ ବରହୀ ରଟୁଛନ୍ତି ଆଗେ ରହି
ଜଗି ବିନ୍ଧୁଛି ସ୍ମର ହିଁ । କେତେ ସହିବି ।
କହ କହ ପ୍ରତିକାର ବଢ଼େ ବରିହ ବିକାର
ଦିଶଇ କୃଷ୍ଣ ଆକାର ଯେଣେ ଚାହିଁବି ।
(ପଡ଼ି)
କରକା ପଡ଼ିବାର ତରକା ନୁହେ ଘୋର
ବରକାମିନୀଙ୍କର ପର କାମେ ଉତ୍ସାହା । ୨ ।

ପଡ଼ିଛି କାମ ମୁଖରେ କେ ଦୁଃଖୀ ମୋ ଦୁଃଖରେ
ସଜନୀ ଏଥୁଁ ରଖ ରେ । ହେଲା ଅବଶେ ।
ହେଲେ ଗୋ କାନ୍ତ ଭରମ କଲେ ଗୋ ଏଡ଼େ କରମ
ଦେବେ ଗୋ ମୋତେ ଚରମ ଦଶା ଅବଶେ ।
(ପଡ଼ି)
ଗରଜି ଘନମାଳ ବରଷୁଅଛି ଜଳ
ମୋର ଜୀବ ଆକୁଳ ତରଜେ ରତିନାହା । ୩ ।

ପଲ୍ଲବ ଶେଯ ତେଜିବି ଦୁର୍ଲ୍ଲଭ ବେଶ ସାଜିବି
ବଲ୍ଲଭ କୋଳେ ମଜ୍ଜିବି ବିହି କରିବ ।
ସତେହେଁ ଦୁଃଖ ମୁଞ୍ଚିବି ଦାରୁ କାଳ ବଞ୍ଚିବି
ପ୍ରିୟାର ସ୍ନେହ ସଞ୍ଚିବି ପ୍ରାଣ ଧରିବି ।
(ପଡ଼ି)
ଯତନ କରି ଗୁଣିରତନ ସୁତ ଭଣି
ନୂତନ ବିରହିଣୀ ମୁଁ ତ ନ ଜାଣେ ଏହା । ୪ ।