Sajani Ki Laje Sarili

(Kabichandra Kali Charan— Raga Bagesri, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ବାଗେଶ୍ରୀ, ତାଳ ଏକତାଳି)

ସଜନୀ କି ଲାଜେ ସରଲି
ଡରି ମରୁଥାଏଁ ଯାରେ ତା ନଜରେ ପଡ଼ିଲି । ଘୋଷା ।

କାଲି ଗୋ ଯମୁନା ନୀରେ
ଅବଗାହୁଥିଲି ମୁଁ ରେ
ଘାଟେ ସେ ମୁରଲୀ ସୁରେ
ରାଧା ରାଧା ଡାକେ ଧୀରେ
ନ ଜାଣି ଯା ଫେରି ଚାହିଁଲି । ୧ ।

(ପଡ଼ି)
କୁଟିଳା ନଣନ୍ଦ ଥାଇ
କଲା ଗୋ ଯେତେକ ଟାହି
ବିବେକ ବିଚାର ନାହିଁ
ଜୀଇଁ ଥାଇ ସତେ ମରିଲି । ୨ ।

ଆସୁଥିଲି ବ୍ରଜ ପଥେ
ସେ ଥିଲା ଅଜଣା ମୋତେ
ଓଗାଳିଲା ପଥ ସେତେ
ବିନୟୀ କହିଲି ଯେତେ
ଲାଜ ମାନ ସବୁ ହାରିଲି । ୩ ।

(ପଡ଼ି)
କବିଶଶୀ କହେ ରାଈ
ତୋ ଲାଗି କଳା କହ୍ନାଇ
ଶିଖେ ମୁରଲୀ ବଜାଇ
ରାଧା ରାଧା ଗାଇ ଗାଇ
ନ ଜାଣୁ କି ସେ ତୋର ବୋଲି । ୪ ।