Nahi Nahi Mu Ja Kahili

ନାହିଁ ନାହିଁ ମୁଁ ଯା କହିଲି
(Kabichandra Kali Charan— Raga Bagesri, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ବାଗେଶ୍ରୀ, ତାଳ ଏକତାଳି)

ନାହିଁ ନାହିଁ ମୁଁ ଯା କହିଲି
ମାନ ମାରି ଆନ ମାନ ଦେଲି । ଘୋଷା ।

ମାଧବୀ ଚାନ୍ଦିନୀ ରାତି । ମାଧବ ଥିଲେ ମୋ ସାଥୀ ।
ପଥରେ ବନ୍ଧାଇ ଛତି ଗୁମାନେ ଯା ନ ଚାହିଁଲି । ୧ ।

କର ଧରି କେତେ ମୋର । ରଚିଲେ ଗୋ ଚାଟୁ ଗିର ।
ପର ପରା କରି ତାର ପରାଭବ ମୁଁ ସହିଲି । ୨ ।

ଦୂରେ ଯା ବସିଲି ଘୁଞ୍ଚି । ଗରବ ରଖିଲି ସଞ୍ଚି ।
ଧାର ଆଖି ନୀର ସିଞ୍ଚି ଜୀବେ ଯା ବଞ୍ଚି ରହିଲି । ୩ ।

କବିଚନ୍ଦ୍ର କହେ ଧୀରା । ଆପେ ତୁ ନ ଦେଲୁ ଧରା ।
ଏ ନୁହେଁ ସୁଆଗ ଧରା ହୁଡ଼ିଲୁ ପୀରତି ଚାଲି । ୪ ।