Baraja Bidhure Ana

ବରଜ ବିଧୁରେ ଅନା
(Kabichandra Kali Charan— Raga Panchama, Tala Ekatali)
(କବିଚନ୍ଦ୍ର କାଳୀଚରଣ— ରାଗ ପଞ୍ଚମ, ତାଳ ଏକତାଳି)

ବରଜ ବିଧୁରେ ଅନା ଅନା ଫେରି ସହୀ ରେ
ନୀରଜ ନୟନୁ ନୀର ଝରି ପଡ଼େ ମହୀରେ । ଘୋଷା ।

ଘୋର ଶୀତ ଆସେ ମାଡ଼ି
ଘେରିଲା ଘନ କୁହୁଡ଼ି
ଏ କାଳେ ତୋ ମାନ ଗୋରୀ ଦିଏ ମନ ଦହି ରେ । ୧ ।

କୁମୁଦ ଗଲା ମଉଳି
ଶଶୀ ତ ନ ଗଲା ଟଳି
ତା ସରିକି ପ୍ରୀତି ରୀତି ଭାଳୁ ଚାନ୍ଦମୁହୀଁ ରେ । ୨ ।

ରବି କମଳ ମିଳନ
ସୁସାର ନୁହଁ ରେ ଧନ
ଘେନାଘେନି କରି ମନ ଲୁଚେ ନିଶି କାହିଁ ରେ । ୩ ।

ଯାଏ ବିତି ହିମ ରାତି
କବିଶଶୀ ଏ ବଦତି
କ୍ଷୀର ନୀର ସରି ସାରା ସରାଗ ତୋ ଚାହିଁ ରେ । ୪ ।