Chandranani Khina Hebani Mo Bina

ଚନ୍ଦ୍ରାନନୀ କ୍ଷୀଣ ହେବନି ମୋ ବିନା

(Kabichandra Kali Charan— Ekatali)
(କବିଚନ୍ଦ୍ର କାଳୀଚରଣ— ଏକତାଳି)

ଚନ୍ଦ୍ରାନନୀ କ୍ଷୀଣ ହେବନି ମୋ ବିନା । ଘୋଷା ।

ହେରି ଏ ବସନ୍ତ ନିଶା ହେଜୁଥିବ ମଦାଳସା
ଝୁରୁଥିବନି ମୋହ ଯିବନି ମୋ ବିନା
ଧରା ତ ମଣୁଥିବ ସରା ମୋ ଜବା ଅଧରା
ପରାଶ ଲାଗୁଥିବ ପରା ସଖୀ ଟାପରା
(ପଡ଼ି)
ଧୀରା ହେବନି ମଣିହରା ସରି ଅଧୀରା
ମୋ ଘେନି ସଜନୀ ରଜନୀ
ବିଷ ହେଜୁଥିବନି ସେ । ୧ ।

ଶୁଣି ଏ କୋଇଲି କୁହୁ ଚମକି ସେ ଉହୁ ଉହୁ
ଭାଷୁଥିବନି ଦିବା ରଜନୀ ମୋ ବିନା
ଗୁରୁ ହେବନି ପରା ଚାରୁ ଲେପ ଅଗୁରୁ
ତରୁଣୀ ବିଷ ମଣୁଥିବ ବକୁଳ ତରୁ
(ପଡ଼ି)
କରୁଣା ହାରା ଧରୁ ଧରୁ ଖସିବ କରୁ
ମୋ ଏଣୀନୟନୀ ଧରଣୀ
ଲୋଟୁଥିବନି ସେ । ୨ ।

ପରବାସେ କବିଶଶୀ ଭାଳଇ ଏ ଶଶୀ ନିଶି
କାଳ ହେବନି ନିନ୍ଦୁଥିବନି ମୋ ବିନା
ବରଣ କରୁଥିବ ମୋର ରସିକା ବର
ମରଣ ସିନା ମାର ଛାର ତୁ ମର ମର
(ପଡ଼ି)
ତାର ସମାନ ସାର ହେବନି ତନୁ ତାର
କେଜାଣି ମୋହିନୀ ମୋ ଧନୀ
(ସତେ) ଜୀବେ ଥିବନି ସେ । ୩ ।