(ବେଣୁଧର— ରାଗ ରାଗେଶ୍ରୀ, ତାଳ ଏକତାଳି)
ଘନକୁନ୍ତଳା ଆଗୋ
କାହିଁକି କର ଗୋ ହେଳା
ଯିବା ପରା ଯମୁନା ଗୋ । ଘୋଷା ।
ଆସରେ କୁନ୍ଦନାଙ୍ଗୀ ମୋହନ ପ୍ରାଣସଙ୍ଗୀ
ସୁହାସୀ ରାସରଙ୍ଗୀ ଦେଖିବା ଶ୍ୟାମ ଭଙ୍ଗୀ ।
(ପଡ଼ି)
ସେ ଚିତ୍ତଚୋରା ହରି ସଙ୍ଗେ କୁଞ୍ଜେ ବିହରି
ତାଙ୍କ ସେବକୀ ପରି ଚଉପାଶରେ ଘେରି
ନୃତ୍ୟ ସଙ୍ଗୀତ କରି ମୋହିବା ଏ ଶର୍ବରୀ । ୧ ।
ଆହା ସେ ନବଘନ ଜିତ ଶ୍ୟାମ ବରନ
ମୂରତି କି ଶୋଭନ ହରେ ନୟନ ମନ ।
(ପଡ଼ି)
ବିରହ ବଂଶୀସ୍ୱନ ହଜାଇ ଦିଏ ଜ୍ଞାନ
ମାନବତୀ ଗୁମାନ କରି ଦିଅଇ ଶୂନ୍ୟ
କୁଳବତୀଙ୍କ ଛିନ୍ନ କରେ ଧୈର୍ଯ୍ୟ ଉଚ୍ଛନ୍ନ । ୨ ।
ଆହା ସେ ଶ୍ୟାମ ଶୋଭା ଜାତି କୁସୁମ ଗଭା
ଦେଖି କେ ଅବା ଲୋଭା ନୋହିବ ତା ପ୍ରତିଭା ।
(ପଡ଼ି)
ଭାଷଇ ବେଣୁଧର ତାଙ୍କୁ ହୃଦରେ ହାର
କରନ୍ତି ନିରନ୍ତର ସେ ଭାଗ୍ୟ କାହିଁ ମୋର
ସେବି ଛନ୍ଦା ପୟର ହେବି ଏ ଭବୁଁ ପାର । ୩ ।