(ଲୋକନାଥ ପଟ୍ଟନାୟକ— ରାଗ ହଂସନାରାୟଣୀ, ତାଳ ଏକତାଳି)
ବନବିହାରୀ ଗିରିଧାରୀ ଯା ଯା ତୁ ଫେରି । ଘୋଷା ।
ନନ୍ଦନନ୍ଦନକୁ କୁଞ୍ଜଦ୍ୱାର ମନା ହେଲାଣି
ତୁ ନ ଆସିବାକୁ ନାରୀରାଣ ରାଣ ଦେଲାଣି ।
(ପଡ଼ି)
ତୁ ବଡ଼ ଦଗାଦାର ନଟବର ନାଗର
ନାମ ବହିଛୁ ଶ୍ୟାମ ମିଛେ କୃପାସାଗର
ବାରେ କପଟୀବର ପଡ଼ିଲେ ତୋ ଆଗର
ଦେବ ସଜନୀ ତୋର ମାନ ମହତ ସାରି । ୧ ।
ନିରେଖି ତୋ ରୀତି ପ୍ରୀତି ପ୍ରତିଆଶା ଛାଡ଼ିଲା
ପ୍ରତିପାଳି ଥିବା ସ୍ନେହ ଶୁକ ବେକ ମୋଡ଼ିଲା ।
(ପଡ଼ି)
ନୀଳ ଶାଢ଼ୀକି ନେଇ ନୀରେ ଦେଲା ଭସାଇ
କଳା କଜ୍ଜ୍ୱଳ ନହୀ ନେତ୍ରୁ ଦେଲା ଲିଭାଇ
ମନେ ଗୁମାନ ବହି ଡୋଳା କୁନ୍ତଳ ପାଇଁ
ଦୂର କଲା ଆଦର ଆଦରଶରୁ ଗୋରୀ । ୨ ।
ଶ୍ୟାମା ସଜନୀଙ୍କ ନଉକରୀ ହରିନେଇଛି
ରାଧାଶ୍ୟାମ ଶେଷ ଦି ଅକ୍ଷର ପୋଛିଦେଇଛି
(ପଡ଼ି)
କଳା ତମାଳ ମାଳ କଳା ଯମୁନା ଜଳ
ନୀଳ ଆକାଶ ନୀଳ ନବ ନୀରଦ କୁଳ
ଦେଖିବ ନାହିଁ ବୋଲି ସଖୀ କରିଛି ମୂଳ
ଲଗାନା ଆଉ ଲଟ ଶଠ ମୁରଲୀଧାରୀ । ୩ ।