Ki Bhangire Chahinla Se Mana Mohane

କି ଭଙ୍ଗୀରେ ଚାହିଁଲା ସେ ମନମୋହନେ
(Krusna Chandra NrupaEkatali)
(କୃଷ୍ଣଚନ୍ଦ୍ର ନୃପଏକତାଳି)

କି ଭଙ୍ଗୀରେ ଚାହିଁଲା ସେ ମନମୋହନେ
ନେତ୍ର ଲାଖି ରହିଲା । ଘୋଷା ।

କେଳି ନୀପମୂଳରେ ଥିଲା ସେ ନିଶ୍ଚଳରେ
ଚାରି ଚକ୍ଷୁ ମେଳରେ ମଦନ ବିହ୍ୱଳରେ
ଧଇର୍ଯ୍ୟ ସେ କାଳରେ କେଉଁ ମନ୍ତ୍ର ବଳରେ
ମୋ ନ ରହିଲା । ୧ ।

ଶୁଣି ତା ବଂଶୀ ନାଦ ଚଳିଲା ନାହିଁ ପାଦ
ଶ୍ରୀ ରାଧା ରାଧା ପଦ ମୋ ଚିତ୍ତକୁ ପ୍ରମୋଦ
କରାଇ ଦେଲା ଗଦଗଦେ ନବ ବାରିଦ
ମୂରତି ଭଲା । ୨ ।

ଥିଲି ମୁଁ ସଖୀ ମେଳେ କି ରୂପେ ସେ ଚିହ୍ନିଲେ
ମୋ ନାମ ଧରି ହେଳେ ବେଣୁ ବଜାଇ ଦେଲେ
ତାଙ୍କ କପଟ ପାଲେ ରହିବେ ନିକି ଭଲେ
ବ୍ରଜ ଛଇଳା । ୩ ।

ରାଜଧାନୀ ସମରପୁର ମଣ୍ଡଳେଶ୍ୱର
ଧୀର ଶ୍ରୀ ବୀରବର କୁଳିଶଧର ନର
ପୁରନ୍ଦର ଶ୍ରୀ କୃଷ୍ଣଚନ୍ଦ୍ର ମନୁ ସେ ମୂର୍ତ୍ତି
ମୂର୍ଚ୍ଛି ନୋହିଲା । ୪ ।